ଇରାନର ନୂଆ ରାଷ୍ଟ୍ରପତି ହେବେ ମସୁଦ ପେଜେସକିଆନ

ପେଜେସକିଆନ ଜଣେ ଉଦାରବାଦୀ ନେତା ଥିବା ବେଳେ ଇରାନ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି।

ପ୍ରଭାବିତ ହେବ ଭାରତ-ଇରାନ ସମ୍ପର୍କ!

ନୂଆଦିଲ୍ଲୀ, ୦୬/୦୭: ଇରାନର ନୂଆ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମାସୁଦ ପେଜେଶକିଆନ। ଗତ ମେ ୧୯ ତାରିଖରେ ଇରାନର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାରେ ଅକାଳ ମୃତ୍ୟୁ ପରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେଣୁ ଗତ କାଲି ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି ମାସୁଦ ପେଜେସକିଆନ। ତାବରିଜ୍ ୟୁନିଭର୍ସିଟି ଅଫ ମେଡିକାଲ ସାଇନ୍ସରେ କାର୍ଯ୍ୟରତ ଥିବା ବେଳେ ଇରାକ୍-ଇରାନ ଯୁଦ୍ଧରେ ହାର୍ଟ ସର୍ଜନ ଭାବେ କରିଥିଲେ। ଇରାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପେଜେସକିଆନ ଜଣେ ଉଦାରବାଦୀ ନେତା ଥିବା ବେଳେ ଇରାନ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି।

ପାଶ୍ଚାତ୍ୟ ଦେଶ ଗୁଡିକ ସହିତ ସମ୍ପର୍କ ସୁଧାରିବା ପାଇଁ ତାଙ୍କ ପାଖରେ କଡା ଚ୍ୟାଲେଞ୍ଜ ରହିଛି। ଇରାନର ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଭାରତ ଓ ପାଶ୍ଚାତ୍ୟ ଦେଶଗୁଡିକ ସହିତ ଇରାନର ସମ୍ପର୍କ ସୁଧୁରିବା ଆଶା କରାଯାଉଛି। ପାଶ୍ଚାତ୍ୟ ଦେଶ ଗୁଡିକର ବାଣିଜ୍ୟ ପାଇଁ କଟକଣା ରହିଥିଲେ ବି ମଧ୍ୟପ୍ରାଚ୍ୟ ଦେଶ ଗୁଡିକ ସହ ଯୋଡ଼ି ହୋଇ ରହିବା ଏବଂ ବାଣିଜ୍ୟ କରିବା ପାଇଁ ଇରାନ୍ ଭାରତ ପାଇଁ ଏକ ପ୍ରମୁଖ ରାଷ୍ଟ୍ର। ଅନ୍ତର୍ଜାତୀୟ ସ୍ତରରେ ଇରାନ ଉପରେ କଟକଣା ଥିଲେ ମଧ୍ୟ ଭାରତ ବହୁ ମାତ୍ରାରେ ଇରାନଠାରୁ ଅଶୋଧିତ ତୈଳ ଆମଦାନୀ କରେ। ୨୦୨୨-୨୩ରେ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ୨.୩୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା ଇରାନ ଭାରତର ମଧ୍ୟପ୍ରାଚ୍ୟରେ ଅନ୍ୟତମ ବୃହତ୍ତମ ବାଣିଜ୍ୟ ସହଯୋଗୀ ଭାବେ ପରିଣତ ହୋଇଛି।

ଇରାନ ସହ ଭାରତର ସହଯୋଗର ଏକ ପ୍ରମୁଖ କାରଣ ହେଉଛି ଚାବାହାର ବନ୍ଦର, ଯାହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆକୁ ଭାରତ ସହିତ ଯୋଡେ ଏବଂ ବାଣିଜ୍ୟ କରିଥାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରାନଜିଟ୍ ପଏଣ୍ଟ। ତେଣୁ ନୂଆ ସରକାରରେ ଏହାକୁ କେତେ ମାତ୍ରାରେ ପ୍ରାଧାନ୍ୟ ଦିଆଯିବ ତାହା ଦେଖିବା ବାକି ରହିଲା। ତେବେ ମଧ୍ୟ ଏସିଆ ଓ ଆଫଗାନିସ୍ଥାନ ସହ ବ୍ୟାପାର କରିବା ପାଇଁ ଭାରତ ବହୁ ପୁଞ୍ଜିନିବେଶ କରିଛି। ଭାରତ, ଇରାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟକୁ ସୁଗମ କରିବା ଏବଂ ୟୁରେସିଆ (ୟୁରୋପ-ଏସିଆ) ମଧ୍ୟରେ ଯୋଗାଯୋଗ ବିସ୍ତାର କରିବା ପାଇଁ ମେ’ ମାସରେ ଭାରତ ଏବଂ ଇରାନ ସହିଦ-ବେହେଶତି ବନ୍ଦର ଟର୍ମିନାଲ ପରିଚାଳନା ପାଇଁ ଏକ ଦୀର୍ଘମିଆଦୀ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏଥିରେ ଭାରତ ୧୨୦ ନିୟୁତ ଡଲାର ଅର୍ଥ ବିନିଯୋଗ କରିଛି।

ୟେମେନର ହୁଥି ବିଦ୍ରୋହୀମାନେ ଲୋହିତ ସାଗର ଓ ଭୂମଧ୍ୟସାଗରରେ ଥିବା ହେତୁ ଭାରତ ପାଇଁ ୟୁରୋପ ସହିତ ବାଣିଜ୍ୟ କରିବା କଷ୍ଟସାଧ୍ୟ ହେଉଛି। ୟୁରୋପ ସହ ବାଣିଜ୍ୟ ପାଇଁ ସମ୍ପୂର୍ଣ୍ଣ ଭାରତ ମହାସାଗରକୁ ପାର କରି ଆଫ୍ରିକା ମହାଦେଶ ଦେଇ ବ୍ୟାପାର କରିବାକୁ ପଡ଼ୁଛି। ଯାହା ଭାରତକୁ ଅଧିକ ନିବେଶ କରିବାକୁ ପଡୁଛି। ତେଣୁ ଏସିଆ ଏବଂ ପର୍ସିଆନ ଉପସାଗର ମଧ୍ୟରେ ସାମଗ୍ରୀ ପରିବହନକୁ ସୁଗମ କରିବା ପାଇଁ ଏକ ଅନ୍ତର୍ଜାତୀୟ ପରିବହନ କରିଡର ତିଆରି କରିବା ପାଇଁ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଭାରତ, ଓମାନ, ଇରାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ ଓ କାଜାଖସ୍ତାନ ସହିତ ସମନ୍ୱୟ ରକ୍ଷା କରି ବାଣିଜ୍ୟ କରିବ। ଭାରତର ମୁମ୍ବାଇରୁ ଆରମ୍ଭ ବନ୍ଦର ଆବାସ(ଇରାନ), ବାକୁ, ଅସ୍ତ୍ରଖାନ, ମସ୍କୋ ଦେଇ ସେଣ୍ଟ ପିଟର୍ସବର୍ଗ ପର୍ଯ୍ୟନ୍ତ ଏହି ରୁଟ୍ ଭାରତ ୟୁରୋପ ସହିତ ବାଣିଜ୍ୟ ପାଇଁ ଏକ ଟ୍ରାଞ୍ଜିଟ ପଏଣ୍ଟ। ମଲ୍ଟିମୋଡାଲ ଇଣ୍ଟରନ୍ୟାସନାଲ ନର୍ଥ-ସାଉଥ ଟ୍ରାନ୍ସପୋର୍ଟ କରିଡର (ଆଇଏନଏସଟିସି) ରୁଟରେ ଭାରତ ଋଷରେ ପହଞ୍ଚିବା ପାଇଁ ଲାଗିଥିବା ସମୟକୁ ହ୍ରାସ କରିବାରେ ସକ୍ଷମ ହେବ ଏବଂ ମଧ୍ୟ ଏସୀୟ ବଜାର ସହିତ ବାଣିଜ୍ୟକୁ ଆହୁରି ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଇରାନ ସହ ରଣନୈତିକ ସମ୍ପର୍କ ସ୍ଥାପନ କରିଛି ଭାରତ। ଇବ୍ରାହିମ ରଇସି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ତେହେରାନରେ ତାଙ୍କ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଥିବା ପ୍ରଥମ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ଚାବାହାର ପୋଷ୍ଟ ଚୁକ୍ତିରେ ଅଗ୍ରଗତି ଏବଂ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ନୀତି ଭଳି ଅନେକ କ୍ଷେତ୍ରରେ ରଇସିଙ୍କ ନେତୃତ୍ୱରେ ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କ ନୂଆ ଉଚ୍ଚତାରେ ପହଞ୍ଚିଛି। ପେଜେସକିଆନ ଜଣେ ଉଦାରବାଦୀ ନେତା ଭାବରେ ପରିଚିତ। ତେଣୁ ଭାରତ ଓ ଇରାନ ମଧ୍ୟରେ ଏହି ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଗଭୀର ହେବାର ସମ୍ଭାବନା ରହିଛି।