କୃଷି ଭବନ ପରିଦର୍ଶନ କରି ବିଭିନ୍ନ କୃଷକ ସଂଗଠନ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ପିଏମ କିଷାନରେ ଅନ୍ତର୍ଭୁକ୍ତ ହେବେ ଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର, ୦୬/୦୭: ଆଜି କୃଷି ଭବନ ପରିଦର୍ଶନ କରି ଭାରତୀୟ କୃଷକ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନ ସହ ଆଲୋଚନା କରି କୃଷକଙ୍କ କଲ୍ୟାଣ ଓ ବିକାଶ ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

କୃଷକ ସଂଗଠନମାନଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି। ସେହିପରି ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରଥମ ପଦକ୍ଷେପ ନିଆଯିବ। ପ୍ରତି ଉପଖଣ୍ଡରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ରହିଲେ ସବୁ ଅଞ୍ଚଳର ଚାଷୀ ଉପକୃତ ହୋଇପାରିବେ। ରାଜ୍ୟ ସରକାର ‘ସମୃଦ୍ଧି କୃଷକ ନୀତି’ ପ୍ରସ୍ତୁତ କରୁଛନ୍ତି। ଏହା ଅଧୀନରେ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।