ଭିଭିଆଇପି ଚର୍ଚ୍ଚା ନମିଳିବାରୁ ଏଏସ୍ଓଙ୍କୁ ମାଡ ମାରିଲେ ରାଜ୍ୟପାଳଙ୍କ ପୁଅ

ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ।

ଘଟଣାକୁ ୬ ଦିନ ବିତିଗଲେ ବି ହୋଇନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୧୩/୦୭: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ୫ ଜଣ ସହଯୋଗୀଙ୍କ ସହ ବିଳମ୍ବିତ ରାତିରେ ଓଡ଼ିଶା ସଚିବାଳୟ ସେବାର ଜଣେ କର୍ତ୍ତବ୍ୟରତ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିବାର ଅଭିଯୋଗ ଆସିଛି। ଉକ୍ତ ଏଏସ୍ଓ ଜଣଙ୍କ ହେଉଛନ୍ତି ବୈକୁଣ୍ଠନାଥ ପ୍ରଧାନ। ଏ ନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ରଙ୍କ ନିକଟରେ ଗତ ଜୁଲାଇ ୮ ତାରିଖରେ ମୌଖିକ ଭାବେ ଅବଗତ କରାଯାଇଥିଲା। ହେଲେ, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଗତ ଜୁଲାଇ ୭ ଓ ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ପୁରୀ ରାଜଭବନରେ ରହଣି ପ୍ରସ୍ତୁତିର ତଦାରଖ ପାଇଁ ଶ୍ରୀ ପ୍ରଧାନ ଗତ ୫ ତାରିଖରେ ପୁରୀରେ ରହିଥିଲେ। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲେ ବି ସେହି ରାତି ୧୧ଟା ୪୫ ମିନିଟରେ ରାଜଭବନ ସ୍ଥିତ ତାଙ୍କ ଅଫିସ ରୁମରେ ବସିଥିବା ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ଶ୍ରୀ ପ୍ରଧାନ ଲଳିତଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କିନ୍ତୁ ଲଳିତ ତାଙ୍କୁ ଦେଖି ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ହେଲେ, ଲଳିତଙ୍କ ଏଭଳି ଆଚରଣର ପ୍ରତିବାଦ କରିବାରୁ ଶ୍ରୀ ପ୍ରଧାନଙ୍କୁ ମାଡ ମାରି ଥିଲେ ଲଳିତ। ଭୟରେ ଶ୍ରୀ ପ୍ରଧାନ ଅନ୍ୟତ୍ର ଦୌଡି ପଳାଉଥିବା ବେଳେ ଲଳିତଙ୍କ କିଛି ସହଯୋଗୀ ତାଙ୍କୁ ନେଇ ଏକ କୋଠରୀ ଭିତରେ ଆହୁରି ମାଡ ମାରିଥିଲେ ଓ ହତ୍ୟା ଧମକ ଦେଇଥିଲେ। ପୁରୀ ରେଳ ଷ୍ଟେସନରୁ ଲଳିତଙ୍କୁ ରାଜଭବନକୁ ଆଣିବା ପାଇଁ ବିଳାସପୂର୍ଣ୍ଣ କାର ପଠା ଯାଇନଥିଲା ବୋଲି ସେ ରାଗରେ ଉତକ୍ଷିପ୍ତ ହୋଇ ଯାଇଥିଲେ। ଏ ନେଇ ଗତ ଜୁଲାଇ ୧୦ ତାରିଖରେ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ବି ଅଭିଯୋଗକୁ ଗ୍ରହଣ କରାଯାଇନଥିଲା।

ଶୁକ୍ରବାର ଭୁବନେଶ୍ୱରରେ ଶ୍ରୀ ପ୍ରଧାନଙ୍କ ପତ୍ନୀ ସୟୋଜ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ଜୁଲାଇ ୧୦ ତାରିଖରେ ସମୁଦ୍ରକୂଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ, କିନ୍ତୁ ତାହା ଗ୍ରହଣ କରାଯାଇନଥିଲା। ତେଣୁ ଏନେଇ ମେଲ ଯୋଗେ ଅଭିଯୋଗ କରାଯାଇଛି। ସେହିପରି ସେ ଦାବି କରିଛନ୍ତି ଯେ ଶ୍ରୀ ପ୍ରଧାନ ଜୁଲାଇ ୧୦ରେ ରାଜ୍ୟପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ, କିନ୍ତୁ ତାଙ୍କୁ କୌଣସି ପ୍ରକାର ସୁଫଳ ମିଳିନଥିଲା। ଅନ୍ୟପଟେ ଏହି ଘଟଣାକୁ କଡା ନିନ୍ଦା କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଓଡିଶା ସଚିବାଳୟ ସେବା ସଂଘ। ଶ୍ରୀ ପ୍ରଧାନ ୨୦୧୯ରେ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲ୍ଡ ସେକ୍ସନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ଘଟଣାକୁ ବିଜେଡ଼ି ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛି। ବିଜେଡିର ମୁଖପାତ୍ର ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧିନସ୍ଥ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ସଂକ୍ରାନ୍ତରେ ପୋଲିସ ଓ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏ ମାମଲାରେ ହସ୍ତକ୍ଷେପ କରି କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।