ଜୁନ ୨୫ରେ ଦେଶ ପାଳିବ ‘ସମ୍ବିଧାନ ହତ୍ୟା ଦିବସ’

ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଘୋଷଣା କରିଛନ୍ତି।

ଗେଜେଟ୍ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୨/୦୭: ଦେଶରେ ଏଥର ପ୍ରତି ବର୍ଷ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’। ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ଦିନ ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଘୋଷଣା କରିଛନ୍ତି।

ଅମିତ ଶାହ କହିଛନ୍ତି, ୧୯୭୫ ମସିହା ଜୁନ ୨୫ ତାରିଖରୁ ୧୯୭୭ ମାର୍ଚ୍ଚ ୨୧ ଯାଏଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଛତ୍ରବାଦୀ ଶାସନ ଚଲାଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଭାରତୀୟ ଗଣତନ୍ତ୍ରର ଆତ୍ମାର ଗଳା ଚିପି ଦେଇଥିଲେ। ବିନା କାରଣରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ଓ ଗଣମାଧ୍ୟମର ସ୍ୱରକୁ ଚାପି ଦିଆଯାଇଥିଲା। ତେଣୁ ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ଅମାନବୀୟ ନିର୍ଯାତନା ସହିଥିବା ତଥା ଏହା ବିରୋଧରେ ଲଢିଥିବା ପ୍ରତ୍ୟେକ ବ୍ୟକ୍ତିକୁ ସ୍ମରଣ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୋଷ୍ଟକୁ ରି-ଟୁଇଟ୍ କରି କଂଗ୍ରେସ ୧୯୭୫ ଜୁନ୍ ୨୫ରେ ଭାରତୀୟ ଇତିହାସର ଏକ କଳା ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ତେଣୁ ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବା ଭାରତୀୟ ସମ୍ବିଧାନର ଦମନ କରିବା ପରେ କ’ଣ ହୁଏ ତାକୁ ସ୍ମରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ନିନ୍ଦା କରି କଂଗ୍ରେସ ଜୁନ୍ ୪ ତାରିଖକୁ ମୋଦି ମୁକ୍ତି ଦିବସ ଭାବେ ଇତିହାସରେ ଲିପିବଦ୍ଧ କରାଯିବ ବୋଲି କହିଛି। ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା, ଯେଉଁଥିରେ ବିଜେପିକୁ କମ୍ ଜନାଦେଶ ମିଳିଥିଲା କିନ୍ତୁ ସହଯୋଗୀ ଦଳର ସହାୟତାରେ ତୃତୀୟ ଥର ପାଇଁ ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଭାରତରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।