ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ: ୮ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଅବଢା ନଷ୍ଟ

ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡପ ଦର୍ଶନ ଚାଲିଥିବା ବେଳେ ନୀତିକାନ୍ତିରେ ବିଳମ୍ବ ହେଉଥିବାରୁ ମହାପ୍ରସାଦ ବିକ୍ରି ହୋଇ ପାରିନାହିଁ।

ଅବଢା ପାଇବାରୁ ବଞ୍ଚିତ ଭକ୍ତ

ପୁରୀ, ୧୩/୦୭: ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କାର ଅବା ନଷ୍ଟ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡପ ଦର୍ଶନ ଚାଲିଥିବା ବେଳେ ନୀତିକାନ୍ତିରେ ବିଳମ୍ବ ହେଉଥିବାରୁ ସୁଆର ମହାସୁଆର ନିଯୋଗର ୮ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ଅବଢା ନଷ୍ଟ ହୋଇଥିବା ବେଳେ ଭକ୍ତଙ୍କୁ ଅବଢା ମିଳି ପାରୁନଥିବାର ଅଭିଯୋଗ ହୋଇଛି। ଗତ ୨ ଦୁଇ ହେବ ଅବଢା ପାଇବାରୁ ବଞ୍ଚିତ ଅଛନ୍ତି ଭକ୍ତ।

ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ନୀତି ବିଳମ୍ବ କାରଣରୁ ପହୁଡ଼ ହୋଇନଥିଲା। ବିନା ପହୁଡ଼ରେ ନୀତିକାନ୍ତି ବିଳମ୍ବ ହୋଇଥିଲା। ମହାପ୍ରଭୁଙ୍କ ସକାଳ ଧୂପ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା। ରୀତିନୀତିରେ ବିଳମ୍ବ ହୋଇ ‘ସକାଳ ଧୂପ’ ରୀତିନୀତି ବିଳମ୍ବିତ ହୋଇ ଅପରାହ୍ନ ପ୍ରାୟ ୧୨ଟା ୪୫ରେ ଶେଷ ହୋଇଥିଲା। ଏହାପରେ ଅପରାହ୍ନ ପ୍ରାୟ ୩ଟା ୧୦ରେ ପ୍ରଥମ ଭୋଗମଣ୍ଡପ ତିଆରି ଶେଷ ହୋଇଥିଲା। ଫଳରେ ଅପରାହ୍ନ ୪ଟାରେ ମହାପ୍ରସାଦ ଉପଲବ୍ଧ ହୋଇଥିଲା। ସେହିଭଳି ‘ମଧ୍ୟାହ୍ନ ଧୁପ’ ମଧ୍ୟ ବିଳମ୍ବିତ ହୋଇ ରାତି ୮ଟା ୪୦ରେ ରୀତିନୀତି ଶେଷ ହୋଇଥିଲା। ଏହାପରେ ରାତି ୧୦ଟା ୧୦ରେ ଦ୍ବିତୀୟ ଭୋଗମଣ୍ଡପ ତିଆରି ଶେଷ ହୋଇଥିଲା। ମହାପ୍ରସାଦ ବାହାରିବା ବେଳକୁ ରାତି ୧୧ଟା ହୋଇଯାଇଥିଲା। ୧୧ ତାରିଖରେ ନୀତି ବିଳମ୍ବ କାରଣରୁ ଭୋର ୫ଟାରେ ରାତ୍ର ପହୁଡ଼ ହୋଇଥିଲା। ମହାପ୍ରସାଦ ବାହାରିବା ବେଳକୁ ଅପରାହ୍ନ ୫ଟା ହୋଇ ଯାଇଥିଲା। ଏଭଳି ପରିସ୍ଥିତିରେ ଯେମିତି ମହାପ୍ରସାଦ ବିକ୍ରି ହେବା କଥା ସେମିତି ବିକ୍ରି ହୋଇପାରିନଥିଲା। ଯାହାଫଳରେ ସୁଆର ମହାସୁଆର ଓ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।