ପହିଲି ରଜରେ ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା’!

ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରେ ଅଘଟଣ । ରଜରେ ପୁଅକୁ ପିଟି ପିଟି ମାରିଦେଲେ ବାପା, ସାବତ ମା । ଖବର ମୁତାବକ, ରଜରେ ପୁଅ ଡ୍ରେସ କିଣି ଟଙ୍କା ଖର୍ଚ୍ଚ କରିଦେବାରୁ ରାଗିଯାଇଥିଲେ ବାପା ଓ ସାବତ ମା’ । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଉଭୟ ବାପା ଓ ସାବତ ମା’ ପହିଲି ରଜରେ ୧୫ ବର୍ଷର ପୁଅକୁ ପିଟି ପିଟି ମାରିଦେଇଥିବା ଜଣାପଡିଛି । ନାବାଳକଙ୍କ ମାମୁଁଘର ଲୋକେ ଏଭଳି ଅଭିଯୋଗ କରିଛନ୍ତି ।

ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଗାଁ ସ୍କୁଲ ପଛପଟ ବାଡିରୁ ମୃତଦେହକୁ ଉଦ୍ଧାର କରିଛି । ମୃତକ ହେଲେ ୧୫ ବର୍ଷୀୟ ରାହୁଲ ବେହେରା । ଏହି ଘଟଣାରେ ପୋଲିସ ତାଙ୍କ ବାପା ମକର ବେହେରା ଓ ମା’ କୁନି ବେହେରାଙ୍କୁ ପଚରାଉଚରା କରୁଛି। ହେଲେ ମୃତକଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ପ୍ରାୟ ୮ରୁ ୧୦ ବର୍ଷ ତଳେ ସନ୍ଦେହଜନକ ଭାବେ ମୃତ ନାବାଳକଙ୍କ ମା’ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ ସ୍ୱାମୀକୁ କିଛିଦିନ ପର୍ଯ୍ୟନ୍ତ ଜେଲରେ ମଧ୍ୟ ରଖିଥିଲେ । ତେବେ ଘଟଣାଟି ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଆଜି ପୁଅର ମୃତଦେହ ଉଦ୍ଧାର ହେବା ଘଟଣାକୁ ନେଇ ଏବେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ରାହୁଲଙ୍କ ମୃତ୍ୟୁ ପାଇଁ ମାମୁଁ ଘର ଲୋକେ ଉଭୟ ମକର ଓ କୁନିଙ୍କୁ ଦାୟୀ କରିଛନ୍ତି।