ଭିଜିଲାନ୍ସ ଜାଲରେ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ଏକକାଳୀନ ୯ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର, ୨୫/୦୭: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଉପରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଏହି ଭିଜିଲାନ୍ସ ଚଢ଼ାଉ ଟିମରେ ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘରେ ଚଢ଼ାଉ କରାଯାଇଥିଲା। ସୁନୀଲଙ୍କ ସହ ଜଡ଼ିତ ଭୁବନେଶ୍ୱର, ପୁରୀ, ଅନୁଗୁଳ, କଟକ ଓ ବଲାଙ୍ଗୀର ଜିଲ୍ଲାର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ଭୁବନେଶ୍ୱର ନୀଳାଦ୍ରିବିହାରଠାରେ ଆବାସିକ ତିନି ମହଲା କୋଠା, ଭୁବନେଶ୍ୱର ନୟାପଲ୍ଲୀଠାରେ ଦୁଇ ମହଲା କୋଠା, ପୁରୀ ଭିଆଇପି ରୋଡ ଓ ଗ୍ରାଣ୍ଡ ରୋଡରେ ଥିବା ଦୁଇଟି ଫ୍ଲାଟ୍, କଟକ ଗୁରୁଡିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶୋରନଗରରେ ତାଙ୍କ ପୁଅଙ୍କ ଘର, ଭୁବନେଶ୍ୱର ନୟାପଲ୍ଲୀରେ ତାଙ୍କ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରରେ ଶ୍ରୀ ରାଉତଙ୍କ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।

ଏହା ବ୍ୟତୀତ ଢେଙ୍କାନାଳ ସପ୍ତଶଯ୍ୟାରେ ସୁନୀଲ ରାଉତଙ୍କ ୮ ଏକର ପରିମିତ ଜମିରେ ଥିବା ଏକ ଫାର୍ମ ହାଉସରେ ମଧ୍ୟ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ବ୍ୟାଙ୍କ ପାସବୁକ ଓ ଚେକବୁକ ମଧ୍ୟ ଯାଞ୍ଚ କରାଯାଇଛି।