୨ ଲକ୍ଷ ୬୫ ହଜାର କୋଟିର ବ୍ୟୟବରାଦ @ ଓଡ଼ିଶା ବଜେଟ୍ ୨୦୨୪-୨୫

ଚଳିତ ଥର ବିଭିନ୍ନ ନୂଆ ଯୋଜନା ଆଣିଛନ୍ତି ରାଜ୍ୟ ସରକାର।

ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା: ଆଦିବାସୀଙ୍କୁ ମିଳିବ ହାତଖର୍ଚ୍ଚ

ଭୁବନେଶ୍ବର, ୨୫/୦୭: ଆସିଲା ଓଡ଼ିଶା ବଜେଟ୍ ୨୦୨୪। ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଅଛି ରାଜ୍ୟ ଅର୍ଥ ବିଭାଗ। ରାଜ୍ୟ ବଜେଟରେ ୧୦ଟି ଦିଗକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୃଷି, ନାରୀ ଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟ, ନାଗରିକ ସେବା, ବିକଶିତ ଓଡ଼ିଶା, ଶିଳ୍ପ, ରୋଜଗାର, ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିକୁ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ‘କାଳିଆ ଯୋଜନା’ର ନାମ ପରିବର୍ତ୍ତନ କରି ‘ସିଏମ୍ କିଷାନ’ ଯୋଜନା ରଖାଗଲା। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଆୟୁଷ୍ମାନ ଯୋଜନାରୁ ବାଦ ପଡୁଥିବା ହିତାଧିକାରୀଙ୍କୁ ଗୋପବନ୍ଧୁ ଯୋଜନାରେ ସାମିଲ କରାଯିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଆରମ୍ଭ କରାଗଲା। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଚାର ପାଇଁ ଲକ୍ଷପତି ଦିଦି ସୃଷ୍ଟି ହେବେ। ଓଡିଶାରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବେ। ରାଜ୍ୟବାସୀଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ ହୋଇଛି।

ସେହିପରି ‘ମୋ ସ୍କୁଲ’ ନାମ ପରିବର୍ତ୍ତନ କରାଯାଇ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଆରମ୍ଭ ହେଲା। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହେଲା। ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ହେବ ବୋଲି ଘୋଷଣା କରାଯାଇଛି। ପ୍ରଥମ ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ। ଆଗାମୀ ୫ ବର୍ଷରେ ଖାଲି ପଡ଼ିଥିବା ଦେଢ ଲକ୍ଷ ପଦବୀ ପୂରଣ ହେବ। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆରମ୍ଭ ହେଲା ‘ଯଶୋଦା’ ଯୋଜନା। ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବଙ୍କୁ ମାସିକ ୩୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ମିଳିବ। ୮୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ୩୫୦୦ ଟଙ୍କା ମିଳିବ। ପୂର୍ବ ପରି ମିଶନ ଶକ୍ତି ଓ ମେକ୍ ଇନ ଓଡ଼ିଶା ଜାରି ରହିବ। ମୁଖ୍ୟମନ୍ତ୍ରୀ ‘କାମଧେନୁ’ ଯୋଜନା ଆରମ୍ଭ ହେଲା। ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ହାତ ଖର୍ଚ୍ଚ ଯୋଗାଇ ଦେବା ପାଇଁ ଲାଗୁ ହେଲା ‘ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ୨୦୨୩-୨୪ ତୁଳନାରେ ୧୫% ଅଧିକ ବଜେଟ ପରିମାଣ ରହିଛି। ଚଳିତ ବଜେଟରେ ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ୬୦ ହଜାର କୋଟି ଟଙ୍କା ଏବଂ ଅଣରାଜସ୍ୱରୁ ସଂଗ୍ରହ ୫୮ ହଜାର କୋଟି ଟଙ୍କା ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟର ଭାଗ ୫୫ ହଜାର ୨୩୨ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଅନୁଦାନ ୩୭ ହଜାର ୭୬୮ କୋଟି ଟଙ୍କା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ଭାଗ ୬୦୯୦ କୋଟି ଟଙ୍କା ରହିଛି।

କୃଷି ପାଇଁ ୩୩ ହଜାର ୯୧୯ କୋଟିର ବ୍ୟୟବରାଦ କରାଯାଇଛି। ଯାହା ୨୦୨୩-୨୪ରେ ୨୪,୮୨୯ କୋଟି ଥିଲା। କୃଷି ବଜେଟରେ ୩୬ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର। ବିଭିନ୍ନ ଯୋଜନାରେ ବଜେଟରେ ୧ ଲକ୍ଷ ୫୫ ହଜାର କୋଟି ଧାର୍ଯ୍ୟ କରାଯାଇଛି। ଧାନ କ୍ୱିଣ୍ଟାଲ ପ୍ରତି କିଣା ଦର ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟରେ ପ୍ରଶାସନିକ ବ୍ୟୟ ୯୭ ହଜାର ୭୨୫ କୋଟି ଧାର୍ଯ୍ୟ କରାଯାଇଛି।

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି, ପିଏମ୍ AJAY ପାଇଁ ୨୬୬ କୋଟି, ପିଏମ AAGY ପାଇଁ ୧୨୦ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫ ହଜାର ୪୫୦ କୋଟି, ପିଏମ କିଷାନ ଢାଞ୍ଚାରେ ହେବାକୁ ଥିବା ସିଏମ୍ କିଷାନ ଯୋଜନା ପାଇଁ ୧ ହଜାର ୯୩୫ କୋଟି, ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି, ଓଡ଼ିଶା ମତ୍ସ୍ୟ ମିଶନ ପାଇଁ ୩୪୪ କୋଟି, ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପାଇଁ ୧୮୯ କୋଟି, ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି, ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ଓଡ଼ିଆ ଅସ୍ମିତା କାର୍ଯ୍ୟକାରୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଯେଉଁଥିପାଇଁ ୨୦୦ କୋଟିର କର୍ପସ ଫଣ୍ଡ ରହିଛି। ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ କର୍ପସ ଫଣ୍ଡ ୨୦୦ କୋଟି ରହିଛି।

ପାର୍ବତ୍ୟଗିରି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ୧୧୨୫ କୋଟି, ବେସାମରିକ ବିମାନ ଚଳାଚଳ ପାଇଁ ୩୭୨ କୋଟି, ରେଳ ପ୍ରକଳ୍ପର ବିକାଶ ପାଇଁ ୬୦୦ କୋଟି, ମେଟ୍ରୋ ରେଳ ପାଇଁ ୧୦୦୦ କୋଟି, ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୮୪୯ କୋଟି, ବ୍ୟାଟେରୀ ଚାଳିତ ଗାଡିରେ ସବସିଡି ବାବଦକୁ ୧୫୦ କୋଟି, ସଡକ ଉନ୍ନୟନ ପାଇଁ ୬୧୮୦ କୋଟି, ଗ୍ରାମାଞ୍ଚଳ ସଡକ ପାଇଁ ୨୩୧୯ କୋଟି, ଗ୍ରୀଡକୋକୁ ଚଳନ୍ତି ପୁଞ୍ଜି ଋଣ ୭୦୦ କୋଟି, ମହାନଦୀର ତଟ ଉନ୍ନୟନ ପାଇଁ ୫୦ କୋଟି, ନୂତନ ସହର ଉନ୍ନତିକରଣ ପାଇଁ ୯୧୮ କୋଟି, ଜଳଜୀବନ ମିଶନ ପାଇଁ ୬୦୦୦ କୋଟି, ସ୍ୱଚ୍ଛ ଭାରତ ମିଶନ ପାଇଁ ୬୦୦ କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୧୦୩୬ କୋଟି, ଜଳ ସଂରକ୍ଷଣ ଓ ଜଳ ସେଚନ ଉନ୍ନୟନ ପ୍ରକଳ୍ପ ପାଇଁ ୧୮୭୨ କୋଟି, ଉଠା ଜଳସେଚନ ପାଇଁ ୧୨୯୪ କୋଟି, ଗ୍ରାମାଞ୍ଚଳ ପରିବହନ ପାଇଁ ୧୦୮୫ କୋଟି, କ୍ରୀଡା ଭିତ୍ତିଭୂମି ପାଇଁ ୯୫୨ କୋଟି, ଯୁବ ଶକ୍ତି ପାଇଁ ୧୦୦ କୋଟି ଧାର୍ଯ୍ୟ କରାଯାଇଛି। ପର୍ଯ୍ୟଟନସ୍ଥଳୀର ବିକାଶ ଓ ପରିଚାଳନା ପାଇଁ ୪୪୫ କୋଟି,

ପିଏମ ପୋଷଣ ଯୋଜନାରେ ୯୯୭ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୬୦୦ କୋଟି, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପାଇଁ ୯୨ କୋଟି, ପିଏମଶ୍ରୀ ପାଇଁ ୨୫ କୋଟି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ପାଇଁ ୧୦୦ କୋଟି, ପିଏମ୍ ପୋଷଣ ଯୋଜନା ପାଇଁ ୧୧,୯୩୫ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨୦୯୫ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୧୯୭୬ କୋଟି, ପିଏମ୍ ଆବାସ ଯୋଜନା ପାଇଁ ୬୦୯୦ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫ ହଜାର ୪୫୦ କୋଟି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟିର ବ୍ୟୟବରାଦ, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨ ହଜାର ୪୬୨ କୋଟି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ପାଇଁ ୨୦୦ କୋଟି, ବସୁଧା ଯୋଜନା ପାଇଁ ୨୦୦୦ କୋଟି, ଜଳ ସଂରକ୍ଷଣ ଓ ଜଳ ସେଚନ ପାଇଁ ୮୧୪ କୋଟି, ଓଡ଼ିଶା ଶକ୍ତି ବିକାଶ ଯୋଜନା ପାଇଁ ୧୪୩୬ କୋଟି, ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ଯୋଜନା ପାଇଁ ୬୧୩ କୋଟି, ପଞ୍ଚସଖା ଶିକ୍ଷାସେତୁ ଯୋଜନା ପାଇଁ ୩୩୨ କୋଟି, ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ୮୦୦୦ କୋଟି ଧାର୍ଯ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୪୦୦ କୋଟି, କେବିକେ ବିକାଶ ଯୋଜନାରେ ୨୫୦ କୋଟି, ମମତା ଯୋଜନା ପାଇଁ ୫୨୧ କୋଟି, ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୧୦୫ କୋଟି, ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାରେ ୧୦୦ କୋଟି, ସିଏଏମପିଏ ଫଣ୍ଡ ବାବଦକୁ ୧୧୬୮ କୋଟି, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପାଇଁ ୨୦ କୋଟି, ବରିଷ୍ଠ ବୁଣାକାର ଓ କାରିଗର ଯୋଜନା ପାଇଁ ୧୨ କୋଟି, ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଉନ୍ନତିକରଣ ପାଇଁ ୫୦ କୋଟି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୫୦୦ କୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୧୯୦ କୋଟି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୭୭୩ କୋଟି, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରଶିପ୍ ପାଇଁ ୧ ହଜାର ୧୭୦ କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୧୦୦୦ କୋଟିର ବ୍ୟୟବରାଦ କରାଯାଇଛି।

ସାମାଜିକ ସୁରକ୍ଷା ପେନସନ ପାଇଁ ୭୬୦୦ କୋଟି, ଲକ୍ଷପତି ଦିଦି ବାବଦକୁ ୧୧୬୨ କୋଟି, ଯଶୋଦା ଯୋଜନା ପାଇଁ ୮୩ କୋଟି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବାବଦକୁ ୩୯ କୋଟି, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୧୫୬ କୋଟି, ସମବାୟ ବ୍ୟାଙ୍କକୁ ସୁଧ ରିହାତି ପାଇଁ ୮୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।