ଜାତୀୟ ଶିକ୍ଷା ନୀତି -୨୦୨୦ କାର୍ଯ୍ୟକାରିତାର ୪ ବର୍ଷ ପୂର୍ତ୍ତି

• ଦେଶର ଛାତ୍ରଛାତ୍ରୀ ସମୂହ, ଅଭିଭାବକ, ଶିକ୍ଷା ପରିବାରକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ। • ବିଭିନ୍ନ ଭାରତୀୟ ଭାଷା ଶିଖିବା ପାଇଁ ଟିଭି ଚ୍ୟାନେଲ, ପୁସ୍ତକ ଏବଂ ଅନେକ ପଦକ୍ଷେପର ଶୁଭାରମ୍ଭ।

ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଜାତୀୟ ଶିକ୍ଷା ନୀତି ଆଶାର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୯/୦୭: ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଆମ ଜନସଂଖ୍ୟାକୁ ସଶକ୍ତ କରିବା ତଥା ଦେଶର ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବରେ ଉଭା ହୋଇଛି ବୋଲି ଜାତୀୟ ଶିକ୍ଷା ନୀତି -୨୦୨୦ କ୍ରିୟାନ୍ୱୟନର ୪ ବର୍ଷ ପୂର୍ତ୍ତି ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଦେଶର ଛାତ୍ରଛାତ୍ରୀ ସମୂହ, ଅଭିଭାବକ, ଶିକ୍ଷା ପରିବାରକୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ନୂଆପିଢ଼ିର ବିଦ୍ୟାର୍ଥୀଙ୍କୁ ସଶକ୍ତ କରିବା ସହ ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଆରମ୍ଭ ହୋଇଥିବା ଯାତ୍ରାକୁ ୪ ବର୍ଷ ପୂରଣ ହୋଇଛି । ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଆମର ଶିକ୍ଷାକୁ ଅଧିକ ଜୀବନ୍ତ କରିଛି । ଭାରତର ଶିକ୍ଷାକୁ ଭବିଷ୍ୟତବାଦୀ କରିବା, ରୁଟେଡ୍, ବିଶ୍ୱସ୍ତରୀୟ ଏବଂ ଆଉଟକମ୍ ଆଧାରିତ କରିବା ପାଇଁ ଭାରତ ସରକାରଙ୍କ ପ୍ରଚେଷ୍ଟାକୁ ଶିକ୍ଷା ନୀତି ମାର୍ଗଦର୍ଶନ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ଜାତୀୟ ଶିକ୍ଷା ନୀତିର ୪ ବର୍ଷ ପୂର୍ତ୍ତି ଅବସରରେ ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅଖିଳ ଭାରତୀୟ ଶିକ୍ଷା ସମାଗମ – ୨୦୨୪”(ଏବିଏସଏସ) ପାଳନ ହୋଇଛି । ଏହି ଅବସରରେ କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଡାଃ ସୁକାନ୍ତ ମଜୁମଦାରଙ୍କ କରକମଳରେ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ ଶୁଭାରମ୍ଭ କରାଯାଇଛି । ବିଭିନ୍ନ ଭାରତୀୟ ଭାଷା ଶିଖିବା ପାଇଁ ଟିଭି ଚ୍ୟାନେଲ, ଶିକ୍ଷାକୁ ମଜାଦାର କରିବା ପାଇଁ କାର୍ଯ୍ୟକ୍ରମ, କ୍ୟାରିୟର ଗାଇଡେନ୍ସ ଗାଇଡଲାଇନ, ୫୦୦ରୁ ଅଧିକ ଜବ୍ କାର୍ଡର ଏକ ବିଶାଳ ଲାଇବ୍ରେରୀ, ବ୍ରେଲି ଏବଂ ଅଡିଓ ପୁସ୍ତକରେ ଏନ୍ ଏମ୍ଏମ୍ (ନ୍ୟାସନାଲ୍ ମିଶନ ଫର୍ ମେଣ୍ଟରିଂ) ଓ ନ୍ୟାସନାଲ୍ ପ୍ରଫେସନାଲ ଷ୍ଟାଣ୍ଡାର୍ଡସ୍ ଫର୍ ଟିଚର୍ସ (ଏନ୍ ପିଏସ୍ ଟି), ଏଆଇସିଟିଇ, ନୀତି ଆୟୋଗ ଏବଂ ଏଆଇଏମ୍ ଦ୍ୱାରା ସ୍କୁଲ ଇନୋଭେସନ ମାରାଥନ ଏବଂ ଗ୍ରାଜୁଏସନ୍ ଆଟରିବୁଟ୍ସ ଏବଂ ଫ୍ରେଫେସନାଲ କମ୍ପିଟେନସିସ୍ ଉପରେ ଏକ ପୁସ୍ତକର ଶୁଭାରମ୍ଭ ହୋଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ)କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୪ଟି ପୁସ୍ତକ ଏବଂ ବକ୍ତୃତା ନୋଟ୍ ଉନ୍ମୋଚନ କରାଯାଇଛି ।