ବଜେଟ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ନବୀନଙ୍କ ସମାଲୋଚନା: ବିଜେପି ‘ଜୁମଲା’ ପାର୍ଟି

ବିଜେଡିର ୮୦ ପ୍ରତିଶତ ଯୋଜନାକୁ ବିଜେପି ନାମ ପରିବର୍ତ୍ତନ କରି ବଜେଟରେ ଉପସ୍ଥାପିତ କରିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଗୃହରେ ବଜେଟର ସମ୍ପୂର୍ଣ୍ଣ ଚିଠା ରଖିଲେ ନବୀନ

ଭୁବନେଶ୍ବର, ୨୯/୦୭: ଗତ ୨୫ ତାରିଖରେ ଆସିଥିଲା ରାଜ୍ୟ ବଜେଟ୍ ୨୦୨୪-୨୫। ରାଜ୍ୟରେ ପ୍ରଥମ କରି ବିଜେପି ଏକାକୀ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିଲେ ପୂର୍ଣ୍ଣାଙ୍ଗ ବଜେଟ୍। ବଜେଟ ଉପସ୍ଥାପିତ ହୋଇ ସାରିଥିବା ପରେ ଆଜି ବଜେଟକୁ ନେଇ ହୋଇଥିଲା ଆଲୋଚନା। ଏହି ଆଲୋଚନା ବେଳେ ବଜେଟକୁ ନେଇ ବିରୋଧୀ କରିଛନ୍ତି ସମାଲୋଚନା। ରାଜ୍ୟ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଜେଟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗୃହରେ ବଜେଟ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ନବୀନ।

ନବୀନ କହିଛନ୍ତି, ବିଜେପି କେବଳ ନାମ ପରିବର୍ତ୍ତନ କରି ବଜେଟ ଉପସ୍ଥାପନ କରିଛି। ଉପସ୍ଥାପିତ ହୋଇଥିବା ସବୁ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲା ବିଜେଡ଼ି ସରକାର। ବିଜେଡ଼ି ପ୍ରସ୍ତୁତ କରିଥିବା ୮୦ ପ୍ରତିଶତ ଯୋଜନାର ନାମ ପରିବର୍ତ୍ତନ କରିଛି ବିଜେପି। ଏବଂ ବାକି ୨୦ ପ୍ରତିଶତ ଯୋଜନା ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଉପରେ ଯୋଜନା ପ୍ରସ୍ତୁତ କରିଛି ବିଜେପି। ବିଜେପି ଏହି ବଜେଟକୁ ଗେମ ଚେଞ୍ଜିଂ ବଜେଟ ବୋଲି କହୁଛି। କିନ୍ତୁ ପ୍ରକୃତରେ ଏହା ଗେମ ଚେଞ୍ଜିଂ ବଜେଟ ନୁହେଁ ବରଂ ନେମ୍ ଚେଞ୍ଜିଂ ବଜେଟ। ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ସରକାର ଗଢିଛି ବିଜେଡି। ହେଲେ, ବଜେଟ୍ ଦସ୍ତାବିଜକୁ ଅନୁଧ୍ୟାନ କଲେ ଜଣାପଡୁଛି, ବିଜେଡିର ୪୫ଟି ସ୍କିମର କେବଳ ନାମ ପରିବର୍ତ୍ତନ କରିଛି ଏବଂ କିଛି ଯୋଜନାରେ ରଙ୍ଗ ମଧ୍ୟ ପରିବର୍ତ୍ତନ କରାଯାଇଛି।

ବିଜେପି ଇସ୍ତାହାରର ସୁଭଦ୍ରା ଯୋଜନାରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଓଡ଼ିଶାରେ ଦୁଇ କୋଟିରୁ ଅଧିକ ମହିଳା ଅଛନ୍ତି। ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କା ଆବଶ୍ୟକ। କିନ୍ତୁ ଚଳିତ ବଜେଟରେ ମାତ୍ର ୧୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏଥିରେ ଓଡ଼ିଶାର ୧୦ ପ୍ରତିଶତରୁ କମ୍ ମହିଳା ସାମିଲ ହେବେ। ବାକି ୧.୮ କୋଟି ମହିଳା ସାମିଲ ହୋଇ ପାରିବେ ନାହିଁ।

ସେହିଭଳି ପେନସନ ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବଜେଟରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବର୍ଦ୍ଧିତ ପେନସନ ରାଶି ମିଳିବ। ରାଜ୍ୟରେ ପାଖାପାଖି ୫୦ ଲକ୍ଷ ପେନସନଭୋଗୀ ଅଛନ୍ତି। କିନ୍ତୁ ବଜେଟ ଆବଣ୍ଟନ ଅନୁଯାୟୀ ମାତ୍ର ୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ବିଧବା, ପିଡବ୍ଲ୍ୟୁଡି ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ସମେତ ୬୦ରୁ ୮୦ ବର୍ଷ ବୟସର ବାକି ୪୯ ଲକ୍ଷ ପେନସନଭୋଗୀଙ୍କ କ’ଣ ହେବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଏହି ପ୍ରତିଶ୍ରୁତି ପୂରଣ ପାଇଁ ବାର୍ଷିକ ପ୍ରାୟ ୨୧ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ବିଜେପି ଚାଷୀଙ୍କ ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପି ଦେବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ବଜେଟରେ ଆବଣ୍ଟନରୁ ଜଣାପଡୁଛି, ୩୦ ପ୍ରତିଶତ ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବ ନାହିଁ।

ଏହାବ୍ୟତୀତ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଏକ କୋଟି ଘରକୁ ମାଗଣା ବିଜୁଳି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯେଉଁଥିରେ ଓଡିଶାର ମାତ୍ର ୩ ଲକ୍ଷ ଭାଗ ପଡୁଛି। ହେଲେ, ରାଜ୍ୟରେ ଦେଢ କୋଟି ଘର ଅଛି। ଏହା କ’ଣ ଲୋକଙ୍କୁ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁତି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ନବୀନ କହିଛନ୍ତି ମୁଁ ଚ୍ୟାଲେଞ୍ଜ କରୁଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟର ୫ ପ୍ରତିଶତ ଲୋକଙ୍କୁ ବି ମାଗଣା ବିଜୁଳି ଯୋଗାଇବାରେ ସମର୍ଥ ହେବ ନାହିଁ। ସୋସିଆଲ ମିଡ଼ିଆରେ ଯେଉଁଭଳି ଭାବେ ଏହି ଯୋଜନାକୁ ରିପ୍ରେଜେଣ୍ଟ କରାଯାଉଛି, ତାହାକୁ ଦେଖି ରାଜ୍ୟବାସୀ ଜୁଲାଇରୁ ଶୂନ୍ୟ ବିଜୁଳି ବିଲ୍ ହେବ ବୋଲି ଅପେକ୍ଷାରେ ଅଛନ୍ତି।

୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ‘ଲକ୍ଷପତି ଦିଦି’ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ଦରକାର। ହେଲେ, ଏଥିପାଇଁ ମାତ୍ର ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ସରକାର। ୨୦୨୭ ଜୁନ୍ ସୁଦ୍ଧା ରାଉରକେଲା-ସମ୍ବଲପୁର-ପାରାଦୀପ ଓ ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡର ପାଇଁ ବଜେଟରେ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ହେଲେ, ଏହି କରିଡର ପାଇଁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ।

‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା। କିନ୍ତୁ ଓଡିଶାବାସୀ, ଯେଉଁମାନଙ୍କୁ ଆପଣ ବିକଶିତ ଓଡିଶାର ସ୍ୱପ୍ନ ଦେଖାଇଛନ୍ତି ଏହା ସେମାନଙ୍କ ପାଇଁ ନିଷ୍ଠୁର ଉପହାସ। ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ବିଜେପିର ଥିଲା ଏଗୁଡିକ ମୁଖ୍ୟ ପ୍ରତିଶ୍ରୁତି। ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟି ଗୁଡିକ ମିଥ୍ୟାର ଦସ୍ତାବିଜ ପାଲଟି ଯିବ। ମୁଁ ଆଶା କରୁଛି ଓ ପ୍ରାର୍ଥନା ମଧ୍ୟ କରୁଛି ଯେ ଓଡିଶାବାସୀ ନ ଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ ନିର୍ବାଚନ ଜିତିଛନ୍ତି। ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବନାହିଁ।