ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର; ସସପେଣ୍ଡ ହେଲେ ଆଇପିଏସ୍ ଅଫିସର

ବରିଷ୍ଠ ଆଇପିଏସ୍ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମ ରାଓ ସସପେଣ୍ଡ।

ଗୃହ ବିଭାଗର କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୩୦/୦୭: ବରିଷ୍ଠ ଆଇପିଏସ୍ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମ ରାଓ ସସପେଣ୍ଡ। ଗତ ମେ ମାସରୁ ପଣ୍ଡିତ ରାଜେଶ ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ। ଗତ ଜୁଲାଇ ୨୭ ତାରିଖ ରାତିରେ ଘଟିଥିବା ଏକ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସସପେଣ୍ଡ କରାଯାଇଛି।

ଗତ ୨୭ ତାରିଖ ରାତିରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର କରିବା ସହ ଭୁବନେଶ୍ବରରେ ରହୁଥିବା ଉକ୍ତ ମହିଳା ପୋଲିସ ଅଧିକାରୀଙ୍କ କ୍ୱାର୍ଟରରେ ଯାଇ ହଙ୍ଗାମା କରିଥିଲେ। କ୍ୱାର୍ଟର ଭିତରକୁ ପଶି ତାଙ୍କୁ ସାଥିରେ ନେବା ପାଇଁ ଜିଦ୍ କରିଥିଲେ ରାଜେଶ। ଏହା ସହ ଉକ୍ତ ମହିଳା ପୋଲିସ ଅଧିକାରୀଙ୍କ ସ୍ୱାମୀ ଘରେ ପହଞ୍ଚିବା ପରେ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ମହିଳା ପୋଲିସଙ୍କୁ ବିବାହ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ ରାଜେଶ। ଏ ନେଇ ଉକ୍ତ ମହିଳା ପୋଲିସ ଅଧିକାରୀଙ୍କ ପକ୍ଷରୁ ଏଫ୍ଆଇଆର ଦିଆଯାଇନାହିଁ। ହେଲେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତୀୟ ପୋଲିସ ସେବା ଆଇନର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ବିଭାଗ।

ନିଲମ୍ବନ ସମୟରେ ସେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ରହିବେ। ଡିଜିପିଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିବେ ନାହିଁ ବୋଲି ଜାରି ହୋଇଥିବା ଗୃହ ବିଭାଗର ନିର୍ଦ୍ଦେଶାନାମାରେ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ତୁରନ୍ତ ଆକ୍ସନ ନେଇଛନ୍ତି। ତେବେ ସସପେଣ୍ଡ ପରେ ଆଇପିଏସଙ୍କ ଗିରଫ ଦାବି ମଧ୍ୟ ଜୋର ଧରିଛି।