ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୪୦ ମୃତ, ଫସି ରହିଛନ୍ତି ଶତାଧିକ

କେରଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ୱାୟନାଡ ଜିଲ୍ଲାର ମେପାଡି ପାହାଡ଼ିଆ ଅଂଚଳରେ ହୋଇଛି ଭୟଙ୍କର ଭୂସ୍ଖଳନ।

୨ ଲକ୍ଷର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ୱାୟନାଡ, ୩୦/୦୭: କେରଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ୱାୟନାଡ ଜିଲ୍ଲାର ମେପାଡି ପାହାଡ଼ିଆ ଅଂଚଳରେ ହୋଇଛି ଭୟଙ୍କର ଭୂସ୍ଖଳନ। ଏହି ଭୂସ୍ଖଳନରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (କେଏସଡିଏମଏ), ଏନଡିଆରଏଫ ଟିମ୍ ଓ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ସେନା ପକ୍ଷରୁ ୨୨୫ ଜଣ ଯବାନ ସାମିଲ ଅଛନ୍ତି। ଏହା ସହ ବାୟୁସେନାର ଦୁଇଟି ହେଲିକପ୍ଟର, ଗୋଟିଏ ଏମ୍ଆଇ-୧୭ ଏବଂ ଗୋଟିଏ ଆଡଭାନ୍ସ ଲାଇଟ୍ ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଭୂସ୍ଖଳନକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସହାୟତା ପାଇଁ ହେଲ୍ପଲାଇନ ନମ୍ବର 9656938689 ଏବଂ 8086010833 ଜାରି କରାଯାଇଛି।

ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ କଥା ହୋଇଛନ୍ତି। ଏହି ଦୁର୍ଘଟଣାର ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭୂସ୍ଖଳନରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସେହିପରି ୱାୟନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଁ କେରଳ ମୁଖ୍ୟମନ୍ତ୍ରୀ ଏବଂ ୱାୟନାଡ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ସମସ୍ତ ଏଜେନ୍ସି ସହ ସମନ୍ୱୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ବିଷୟରେ ଜଣାଇବାକୁ ମୁଁ ସେମାନଙ୍କୁ ଅନୁରୋଧ କରିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।