ଆଜି ହେଉଛି ସମ୍ବଲପୁରୀ ଦିନ୍

ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ୦୧/୦୮: ଆଜି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ସମ୍ବଲପୁରୀ ଦିନ୍ ପାଳନ ହେଉଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ଏକ ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର କହିଛନ୍ତି ଯେ ସମ୍ବଲପୁରୀ ଭାଷା, ସଂସ୍କୃତି ଓ ସାହିତ୍ୟର ଗରିମା ବୃଦ୍ଧି କରିବାରେ ପଣ୍ଡିତ ବହିଦାରଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ସମ୍ବଲପୁରୀ କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଇଆଇଏମ୍- ସମ୍ବଲପୁରରେ ରଙ୍ଗବତୀ ସେଣ୍ଟର ଫର ଏକ୍ସିଲେନ୍ସ ସ୍ଥାପିତ ହୋଇଛି। ଏହା ଦ୍ୱାରା ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଗତ ବାର ବର୍ଷ ଧରି ପ୍ରତି ବର୍ଷ ଅଗଷ୍ଟ ୧ ତାରିଖରେ ପାଳନ ହେଉଛି ସମ୍ବଲପୁରୀ ଦିନ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏହି ଦିବସ ପାଳିତ ହୋଇ ଆସୁଛି। ଗୁରୁ ସତ୍ୟ ନାରାୟଣ ବହିଦାର ସୋନପୁରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଙ୍କ ଜୀବନ କଟିଥିଲା। ସେ ସମ୍ବଲପୁରରେ ପାଠ ପଢ଼ିବା ପରେ ବରଗଡ଼ରୁ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଦଶମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କର ପ୍ରଥମ ସାହିତ୍ୟିକ ଲେଖା ପ୍ରକାଶ ପାଇଥିଲା। ସେ ସମ୍ବଲପୁର ସାହିତ୍ୟର ମୂଳଦୁଆ ପକାଇଥିଲେ ବୋଲି ବିଶ୍ୱାସ କରାଯାଏ।