ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: କୋଟା ଭିତରେ କୋଟା; ବାଦ ପଡିବ ‘କ୍ରିମି ଲେୟର’
ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ମଧ୍ୟରେ ସବ କୋଟାକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି।
୧୯୭୫ରେ ପଞ୍ଜାବ ଆଣିଥିଲା ଜାତି ମଧ୍ୟରେ ଉପବର୍ଗୀକରଣ ନିୟମ
ନୂଆଦିଲ୍ଲୀ, ୦୧/୦୮: କୋଟା ଉପରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସବୁ ଏସସି ଓ ଏସଟି ବର୍ଗର ଲୋକ ସମାନ ପରିମାଣରେ ଅବହେଳିତ ଓ ପଛୁଆ ନୁହଁନ୍ତି। କିଛି ଅଧିକ ଅବହେଳିତ ଏବଂ ଆଉ କିଛି ଅପେକ୍ଷାକୃତ ଉନ୍ନତ ମାନର ଜୀବନ ଜିଉଁଛନ୍ତି। ତେଣୁ ଅଧିକ ପଛୁଆବର୍ଗର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ ଏସସି ଏସଟି କୋଟା ମଧ୍ୟରେ କୋଟା କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ମନୋଜ ମିଶ୍ର, ବେଲା ଏମ୍ ତ୍ରିବେଦୀ, ବିଆର୍ ଗବାଇ, ଜଷ୍ଟିସ୍ ବିକ୍ରମ ନାଥ, ପଙ୍କଜ ମିତଲ, ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୦୪ ମସିହାରେ ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ସରକାରଙ୍କ ମାମଲାରେ ଅନୁସୂଚିତ ଜାତିର ଉପବର୍ଗୀକରଣ ବିରୋଧରେ ରାୟ ଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, କୋଟା ଭିତରେ କୋଟା ରଖାଯିବ। ଏସସି-ଏସଟି ସଂରକ୍ଷଣ ଭିତରେ ଉପବର୍ଗ କରି ପାଠ ପଢ଼ା ଓ ଚାକିରିରେ ସ୍ଥାନ ସଂରକ୍ଷଣ ରଖି ପାରିବେ ରାଜ୍ୟ ସରକାର। ସବ୍ କୋଟା କରି ଅଧିକ ପଛୁଆ ବର୍ଗ ତଥା ଅବହେଳିତ ବର୍ଗଙ୍କୁ ସଂରକ୍ଷଣ ଦିଆ ଯାଇପାରିବ। ଏହା ଦ୍ବାରା ପାଠ ପଢା ଭଳି ସରକାରୀ ଚାକିରି ଡିଗ୍ରୀ ଉପରେ ଆଧାରିତ ହୋଇ ପାରିବ।
ଏହା ଦ୍ୱାରା ଏସଟିମାନଙ୍କୁ ୭.୫ ପ୍ରତିଶତ, ଏସସି ମାନଙ୍କୁ ୧୫ ପ୍ରତିଶତ, ଓବିସି ମାନଙ୍କୁ ୨୭ ପ୍ରତିଶତ ଏବଂ ଇଓଡବ୍ଲ୍ୟୁଏସଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି। ଯେଉଁମାନେ କ୍ରିମି ଲେୟର ବା ୮ ଲକ୍ଷରୁ ଅଧିକ ବାର୍ଷିକ ଆୟ ସେମାନଙ୍କୁ ବାଦ ଦିଆଯାଇଛି। ଅନୁସୂଚିତ ଜାତିରେ ଆସୁଥିଲେ ମଧ୍ୟ ଏମାନଙ୍କୁ ସଂରକ୍ଷଣ ସୁବିଧା ମିଳି ପାରିବ ନାହିଁ। ଏଥିରେ କେବଳ ନନ-କ୍ରିମି ଲେୟର ବା ୮ ଲକ୍ଷରୁ କମ୍ ବାର୍ଷିକ ଆୟ ଥିବା ଲୋକଙ୍କୁ ସାମିଲ କରାଯାଇଛି।
ତେବେ ୭ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ଜଣେ ବିଚାରପତି ଭିନ୍ନ ରାୟ ଦେଇଥିଲେ। ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏହି ରାୟ ବିରୋଧରେ ଯାଇ କହିଥିଲେ ଯେ, କୌଣସି ଅନୁସୂଚିତ ଜାତି ମଧ୍ୟରେ ଉପବର୍ଗୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାୟିତ୍ୱ ଦେବା ହେଉଛି ସମ୍ବିଧାନ ବିରୋଧୀ। ସମ୍ବିଧାନର ଧାରା ୩୪୧ ଅନୁସାରେ ଅନୁସୂଚିତ ଜାତି ମଧ୍ୟରେ ଉପବର୍ଗୀକରଣ କରି ଏହାର ତାଲିକା ପ୍ରସ୍ତୁତ କରିବା ଅଧିକାର କେବଳ ରାଷ୍ଟ୍ରପତିଙ୍କର। କୌଣସି ଜାତିକୁ ପ୍ରେସିଡେନ୍ସିଆଲ ଲିଷ୍ଟରୁ କେବଳ ପାର୍ଲିଆମେଣ୍ଟ ମାଧ୍ୟମରେ ଏକ ଆଇନ ଦ୍ୱାରା ବାଦ ଦିଆଯାଏ ବୋଲି କହିଥିଲେ।
ଜଷ୍ଟିସ୍ ବିଆର ଗବାଇ କହିଥିଲେ, ଏସସି ଏସଟିରେ ବହୁତ କ୍ରିମି ଲେୟରଙ୍କୁ ଚିହ୍ନଟ କରି ରାଜ୍ୟ ସରକାର ସେମାନଙ୍କୁ ଏହି ତାଲିକାରୁ ବାହାର କରିବା ଉଚିତ୍। କେବଳ ଅବହେଳିତଙ୍କୁ ଚିହ୍ନଟ କରି ସଂରକ୍ଷଣ ଦେବା ଆବଶ୍ୟକ ବୋଲି କହିଥିଲେ।
ଏହା ପଛର ଇତିହାସ-
ଏଭଳି ଅନୁସୂଚିତ ଜାତିର ଉପବର୍ଗୀକରଣ ଆଇନ ପ୍ରଥମେ ପଞ୍ଜାବ ସରକାର ଆଣିଥିଲେ। ୧୯୭୫ ମସିହାରେ ଅନୁସୂଚିତ ଜାତିଙ୍କ ୨୫ ପ୍ରତିଶତ ସଂରକ୍ଷଣର ଉପବର୍ଗୀକରଣ କରି ଦୁଇଟି ତାଲିକାରେ ବାଣ୍ଟି ଦେଇଥିଲେ ପଞ୍ଜାବ ସରକାର। ବାଲ୍ମିକୀ ଓ ମଜହବୀ ଶିଖଙ୍କୁ ଗୋଟିଏ ତାଲିକା ଏବଂ ଅନ୍ୟ ତାଲିକାରେ ବାକି ଏସସିମାନଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। ଏହି ନିୟମ ୩୦ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିଥିଲା। ସେହିପରି ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଏହି ସମାନ ପ୍ରକାର ଆଇନ ୨୦୦୦ ମସିହାରେ ଆଣିଥିଲେ। ଏହି ‘ଆନ୍ଧ୍ରପ୍ରଦେଶ ସିଡ୍ୟୁଲ କାଷ୍ଟ ରେସନାଲାଇଜେସନ ଅଫ ରିଜର୍ଭେସନ ଆକ୍ଟ, ୨୦୦୦’ ଆଇନ ଦ୍ୱାରା ଆନ୍ଧ୍ରପ୍ରଦେଶ ସରକାର ଏସସି ଅଧିନରେ ବହୁ ପ୍ରକାର ଉପବର୍ଗୀକରଣ କରିଥିଲେ। ଯାହାକୁ ନେଇ ୨୦୦୪ ମସିହାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସମାନତା ଅଧିକାର ଉଲ୍ଲଂଘନ ଅଭିଯୋଗରେ ଏହି କାନୁନକୁ ଉଚ୍ଛେଦ କରିଥିଲେ।