ନବୀନ ଗଡ ଛାଡ଼ି ପଦ୍ମ ଶିବିରରେ ମମତା ମହନ୍ତ

ବୁଧବାର ମମତା ମହନ୍ତ ରାଜ୍ୟସଭା ସାଂସଦ ପଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ।

ବିଧିବଦ୍ଧ ଭାବେ ବିଜେପିରେ ସାମିଲ

ନୂଆଦିଲ୍ଲୀ, ୦୧/୦୮: ବୁଧବାର ରାଜ୍ୟସଭା ସାଂସଦ ପଦ ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପି ଶିବିରରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ମମତା। ଓଡ଼ିଶା ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଆଜି ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ମମତା ମହନ୍ତ ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୬ ଏପ୍ରିଲ ମାସରେ ମମତା ମହନ୍ତଙ୍କ କାର୍ଯ୍ୟକାଳ ପୂରିବାର ଥିଲା। କିନ୍ତୁ ଏହାର ଠିକ୍ ୨୧ ମାସ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ସେହିପରି ସାଂସଦ ପଦ ଛାଡ଼ିବାର କିଛି ସମୟ ପରେ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ମମତା ମହନ୍ତ। ଏନେଇ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ବିଜେଡିରେ ତାଙ୍କର ଅନାବଶ୍ୟକତା ଥିବା ଦର୍ଶାଇ ଇସ୍ତଫା ଦେଇଥିବାର ସୂଚନା ଦେଇଥିଲେ।

ନିର୍ବାଚନ ପରେ ବିଜୁ ଜନତା ଦଳକୁ ଏହା ବଡ଼ ଧକ୍କା। ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହରାଇବା ପରେ ସରକାର ନଗଢି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଛି ବିଜେଡ଼ି। ଗୋଟିଏ ପଟେ ଲୋକସଭାରେ ବିଜେଡିର ଆସନ ଶୂନ ଥିବା ବେଳେ ଗୋଟିଏ ବି ବିଜେଡ଼ି ନେତା ଲୋକସଭାକୁ ଯାଇ ପାରି ନଥିଲେ। ଏପଟେ ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସି ଆସିଛି। ଦିନକୁ ଦିନ ବିଜେଡିର ଗଡ ଭୁଶୁଡ଼ି ପଡିଥିବା ଦେଖିବାକୁ ମିଳିଛି। ଏ ନେଇ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାତୀୟ ଦଳ ବା ବିଜେପିର ଚକ୍ରାନ୍ତରେ ମମତା ବିଜେଡି ଛାଡିଛନ୍ତି ବୋଲି କହିଥିଲେ।