ଭାରତ ଏକ ଖାଦ୍ୟ ବଳକା ଦେଶ: ମୋଦି

ଦିଲ୍ଲୀରେ ଆୟୋଜିତ ଆଇସିଏଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୩/୦୮: ଦେଶର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ। ଏହି ସମ୍ମିଳନୀକୁ ଦୀର୍ଘ ୬୫ ବର୍ଷ ପରେ ଭାରତ ପକ୍ଷରୁ ଆୟୋଜନ କରାଯାଇଛି। ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ ୭୦ ଦେଶରୁ ପ୍ରାୟ ୧୦୦୦ ପ୍ରତିନିଧି ଯୋଗ ଦେଇଛନ୍ତି।

ଏହି ଅବସରରେ ମୋଦି ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ଦେଶ ସ୍ୱାଧୀନତା ପାଇବାର କିଛି ବର୍ଷ ପରେ ଏହି ସମ୍ମିଳନୀ ଭାରତରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଭାରତ ପାଇଁ କୃଷି ଓ ଖାଦ୍ୟ ନିରାପତ୍ତା ଦିଗରେ କାର୍ଯ୍ୟ କରିବା ଏକ ଚ୍ୟାଲେଞ୍ଜ ଥିଲା। ଏବେ ଭାରତ ଏକ ଖାଦ୍ୟ ବଳକା ଦେଶ ଭାବେ ପରିଣତ ହୋଇଛି। ବିଶ୍ୱ ଖାଦ୍ୟ ନିରାପତ୍ତା ଦିଗରେ ସମାଧାନ ପାଇଁ କାର୍ଯ୍ୟ କରୁଛି। ଦୁଗ୍ଧ, ଡାଲି ଓ ମସଲା ଉତ୍ପାଦନରେ ଭାରତ ବିଶ୍ୱର ଏକ ନମ୍ବର ଦେଶ। ଖାଦ୍ୟଶସ୍ୟ, ଫଳ, ପନିପରିବା, କପା, ଚିନି ଓ ଚା’ ଉତ୍ପାଦନ କ୍ଷେତ୍ରରେ ଦେଶ ଦ୍ବିତୀୟ ବୃହତ୍ତମ ଦେଶ ପାଲଟିଛି। ଭାରତ ରସାୟନ ମୁକ୍ତ ପ୍ରାକୃତିକ ଚାଷକୁ ଗୁରୁତ୍ୱ ଦେଉଛି। ୨୦୨୪-୨୫ ବଜେଟରେ ମଧ୍ୟ ସ୍ଥାୟୀ କୃଷି ଉପରେ ଗୁରୁତ୍ୱ ଦିଆଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଭାରତ ୧,୯୦୦ ନୂତନ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ପ୍ରଦାନ କରିଛି ବୋଲି ମୋଦି କହିଛନ୍ତି।