୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ଶ୍ରୀଲଙ୍କା

ବେଆଇନ ମାଛ ଧରିବା ଅଭିଯୋଗରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା।

ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ହସ୍ତାନ୍ତର

ଚେନ୍ନାଇ, ୦୩/୦୮: ଶ୍ରୀଲଙ୍କା ନୌସେନା ଶନିବାର ସକାଳେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଦୁଇ ଜଣ ଅଟକ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ସହ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛି।

ତାମିଲନାଡୁର ରାମେଶ୍ୱରମ ଉପକୂଳରେ ମୁତୟନ ହୋଇଥିବା ଭାରତୀୟ ନୌସେନା ଜାହାଜ ଆଇଏନଏସ ବିତ୍ରା ଶ୍ରୀଲଙ୍କା ନୌସେନା ସହ ସମନ୍ୱୟ ରକ୍ଷା କରି ରାତି ପ୍ରାୟ ୧ଟାରେ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲା।

ସୂଚନାନୁଯାୟୀ, ଗତ ଅଗଷ୍ଟ ୧ ତାରିଖରେ ସମୁଦ୍ରରେ ମାଛ ଧରୁଥିବା ବେଳେ ବେଆଇନ ମାଛ ଧରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା।ସେହି ସମୟରେ ଡଙ୍ଗାଟି ବୁଡ଼ି ଯିବାରୁ ୪ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ବୁଡି ଯାଇଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି ଏବଂ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି।