ମନମୋହନ ସାମଲଙ୍କ ରାୟଗଡ଼ା ଗସ୍ତ

୧୦୦ ଦିନରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ

ରାୟଗଡ଼ା,୩/୮(ଦର୍ଶନ ନ୍ୟୁଜ): ନିର୍ବାଚନ ସମୟରେ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ସଙ୍କଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ଭାଜପା। ରାଜ୍ୟର ଓ ରାଜ୍ୟବାସୀଙ୍କ ବିକାଶ ହିଁ ଭାଜପା ସରକାରର ମୂଳ ଲକ୍ଷ୍ୟ। ଲୋକେ ଯେଉଁ ଆଶାରେ ସୁଯୋଗ ଦେଇଛନ୍ତି ତାହାକୁ ଭାଜପା ପୂରଣ କରିବ। ୧୦୦ ଦିନର ପ୍ରତିଶ୍ରୁତି ନିଶ୍ଚୟ ପୂରଣ କରିବ ଭାଜପା ସରକାର। ଶନିବାର ରାୟଗଡ଼ା ଗସ୍ତରେ ଆସି ଗଣମାଧ୍ୟମକୁ ସମ୍ବୋଧିତ କରି ଏହିଭଳି ମନ୍ତବ୍ୟ ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଏଥି ସହିତ ରାୟଗଡ଼ା ଗସ୍ତରେ ଜିଲାର ତିନୋଟି ନିର୍ବାଚନମଣ୍ଡଳୀର କର୍ମକର୍ତ୍ତାଙ୍କ ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝି ତାହାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ମନମୋହନ ସାମଲ। ମନମୋହନଙ୍କ ଏହି ଗସ୍ତରେ ତାଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣିମା କେରକେଟା, ଅନୁସୂଚିତ ଜନଜାତି ମୋର୍ଚ୍ଚା ଜାତୀୟ ସମ୍ପାଦକ କାଳୀରାମ ମାଝୀ ଓ ଜିଲ୍ଲା ସଭାପତି ଶିବ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବଜେଟ ଉପରେ ଆଲୋକପାତ କରି ଓଡ଼ିଶାର ବିକାଶ ପାଇଁ ଏହା ଭାଜପାର ଉଦ୍ଦିଷ୍ଟ ଏବଂ ଉତ୍କୃଷ୍ଟ ବଜେଟ ବୋଲି କହିଥିଲେ ମନମୋହନ। ବଜେଟରେ ପୁରୀ ଶ୍ରୀମନ୍ଦିରକୁ ୫୦୦ କୋଟି ଟଙ୍କା ପ୍ରଦାନ ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ଲାଭାନ୍ୱିତ ହେବେ ବୋଲି କହିଛନ୍ତି। ସେହିଭଳି ଭାଜପା ସରକାର ଚାଷୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ନେଇ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପ୍ରକାରେ ଧାନ କ୍ୱିଂଟାଲ ୩୧୦୦ କରାଯିବା ଏକ ଶୀର୍ଷ ନିଷ୍ପତି ବୋଲି କହିଥିଲେ। ଧାନ ବିକ୍ରିରେ କଟନି ଛଟନି ବନ୍ଦ କରିବା ଏବଂ ଚାଷୀଙ୍କ ଉପରେ କୌଣସି କଟକଣା ନରହିବା ନେଇ ରାଜ୍ୟ ସରକାର ନିଷ୍ପତି ନେଇଥିବା କହିଛନ୍ତି ମନମୋହନ ସାମଲ। ଚାଷୀ ଯେତିକି ଧାନ ଉତ୍ପାଦନ କରିବେ ସେତିକି ବିକ୍ରି କରିପାରିବେ ବୋଲି କହିଥିଲେ। କୃଷିଭିତିକ ଶିଳ୍ପ ପ୍ରତିଷ୍ଠା ହେବ। କେବଳ ଧାନ ନୁହଁ ଅଣଧାନ ସହିତ ଜଙ୍ଗଲଯାତ ଦ୍ରବ୍ୟ ବିକ୍ରି ପାଇଁ ବଜାର ମଧ୍ୟ ବ୍ୟବସ୍ଥା, ଶତ ପ୍ରତିଶତ ଜମିକୁ ଜଳସେଚନ, ବ୍ଲକୱାରି ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି କହିଛନ୍ତି। ଶିକ୍ଷାର ମାନବୃଦ୍ଧି ପାଇଁ ଶିକ୍ଷକ ପଦବୀ ପୁରଣ ସହିତ ଶିକ୍ଷା ବ୍ୟବସ୍ଥା ଓ ଢାଂଚାରେ ପରିବତର୍ନ କରାଯିବ ବୋଲି କହିଛନ୍ତି ମନେମାହନ। ସେହିଭଳି କେନ୍ଦ୍ର ସରକାର ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏତଦବ୍ୟତିତ ରାୟଗଡା ରେଳ ଡିଭିଜନ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି ମନମୋହନ। କୌଣସି ପରିସ୍ଥିତିରେ ମଧ୍ୟ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ତେବେ ନିକଟରେ ଖାଲି ହୋଇଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ କାହାକୁ ଦଳ ଚୟନ କରିବ ବୋଲି ପଚାରିବାରୁ ତାହା ଦଳର ସଂସଦୀୟ ବୋର୍ଡ ନିଷ୍ପତି ଗ୍ରହଣ କରିବେ ବୋଲି କହିଥିଲେ।