ଉତ୍ତରାଖଣ୍ଡ: କେଦାରନାଥ ଯାଇ ଭୂସ୍ଖଳନରେ ଫସିଲେ କେନ୍ଦୁଝରର ୪ କାଉଡି ଯାତ୍ରୀ

ଭୂସ୍ଖଳନରେ ଫସିଛନ୍ତି ୨୦୦ରୁ ଅଧିକ ଲୋକେ

କେନ୍ଦୁଝର, ୦୩/୦୮: କେନ୍ଦୁଝର ଜିଲ୍ଲାରୁ କେଦାରନାଥ କାଉଡ଼ି ଯାତ୍ରାରେ ଯାଇ ଭୂସ୍ଖଳନରେ ପଶିଛନ୍ତି ୪ ଜଣ। ତେଲକୋଇର ତିନିଜଣ ଓ ସଦର ବ୍ଲକର ଜଣେ ୨୭ ତାରିଖରୁ କେଦାରନାଥ ଯାଇଥିଲେ। ବାଟରେ ଲ୍ୟାଣ୍ଡ ସ୍ଲାଇଡ଼ ହେବାରୁ ଖାଇବା ପିଇବାକୁ ନ ପାଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କାଉଡି ଯାତ୍ରୀ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲାରୁ କାଉଡ଼ିଯାତ୍ରାରେ କେଦାରନାଥ ଯାଇଥିବା ୪ ଜଣ ଲୋକ ଭୁସ୍ଖଳନ ଫଳରେ ତିନି ଚାରି ଦିନ ହେବ ଫସି ରହିଥିବା ଖବର ମିଳିଛି। ସେମାନେ ହେଲେ ତେଲକୋଇ ଶରୁଆଳି ଗ୍ରାମର କାର୍ତିକେଶ୍ୱର ଖିଲାର, ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ, ଦୁବୁଲାପାଳ ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ, ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପଷଢାର ଋଷିନାଥ ମହାନ୍ତ ବୋଲି ସୂଚନା ମିଳିଛି। ସେମାନେ ୨୭ ତାରିଖରୁ କେନ୍ଦୁଝରରୁ ବସରେ ଯାଇ ରାଉରକେଲାରୁ ଟ୍ରେନରେ କେଦାରନାଥ ଯାତ୍ରା କରିଥିଲେ। ସେଠାରେ ବଡ଼ ଧରଣର ଭୂସ୍ଖଳନ ହେବା ଫଳରେ ବାଟରେ ୩ରୁ ୪ ଦିନ ହେବ ଫସି ରହିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ସୂଚନା ମିଳିଥିବା ବେଳେ ସେମାନେ ଖାଇବା ପିଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସି ରହିଥିବା ପରିବାର ଲୋକେ କହିଛନ୍ତି। ତେଲକୋଇ ଜଗମୋହନପୁର ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ପ୍ରଧାନ ତେଲକୋଇ ତହସିଲଦାରଙ୍କୁ ଏ ବାବଦରେ ଲିଖିତ ଜଣାଇ ପ୍ରସାଶନ ପଦକ୍ଷେପ ଲୋଡିଛନ୍ତି। ତେଲକୋଇ ତହସିଲଦାର ଅନୁପମା ମୁର୍ମୁ ଏବାଦରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିବା କହିଛନ୍ତି। ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ବିନା ଏୟାରଲିଫ୍ଟରେ ସେଠାରୁ ଉଦ୍ଧର ସମ୍ଭବ ନଥିବାରୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।