ପୋଲାଭରମ୍ ଗସ୍ତ କରିବ ବିଜେଡ଼ି ଟିମ୍

ବିଜେଡ଼ି ସଭାପତିଙ୍କ ଦ୍ୱାରା ଟିମ୍ ଗଠନ

ଭୁବନେଶ୍ୱର, ୬/୮: ପୋଲାଭରମର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ ବିଜେଡ଼ି ଟିମ୍। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ ହୋଇଛି ଏକ ଟିମ୍। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ମାଲକାନଗିରି ଅଞ୍ଚଳର ବିଜେଡି ନେତା ପ୍ରମୁଖ ରହିଛନ୍ତି। ଆସନ୍ତାକାଲି ପୋଲାଭରମ୍ ଗସ୍ତରେ ଯିବେ ଏହି ଟିମ୍। କ୍ଷତିଗ୍ରସ୍ତ ଅଞ୍ଚଳର ଅନୁଧ୍ୟାନ କରି ନବୀନଙ୍କୁ ରିପୋର୍ଟ ପ୍ରଦାନ କରିବେ ଏହି ଟିମ୍।

ଏ ନେଇ ବିଜେଡ଼ି ନେତା ପ୍ରଦୀପ ମାଝୀ କହିଛନ୍ତି, ଆନ୍ଧ୍ର ସରକାର ନିର୍ମାଣ କରୁଥିବା ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡିଶାକୁ ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳକୁ ବହୁ କ୍ଷତି ସହିବାକୁ ପଡିବ। ତେଣୁ ବିଜେଡ଼ି ଟିମ୍ ଏହି ଅଞ୍ଚଳକୁ ପରିଦର୍ଶନ ସବିଶେଷ ତଥ୍ୟ ବିଜେଡି ସୁପ୍ରିମୋଙ୍କୁ ପ୍ରଦାନ କରିବ। ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଓଡ଼ିଶାକୁ ପ୍ରଥମ ପ୍ରହାର ଦେଇଛନ୍ତି। ପୋଲାଭରମ୍ ପ୍ରକଳ୍ପ ପାଇଁ ଅନୁଦାନ ଦେଇଛନ୍ତି। ଯାହା ଫଳରେ ମାଲକାନଗିରି ଅଞ୍ଚଳର ଦୁଇଟି ତହସିଲ ସମ୍ପୂର୍ଣ୍ଣ ବୁଡି ଯିବାର ସମ୍ଭାବନା ରହିଛି। ଏଣୁ ବିଜୁ ଜନତା ଦଳ ଚିନ୍ତା ପ୍ରକଟ କରିବା ସହ ଏହା ଉପରେ ପଦକ୍ଷେପ ନେବା ପାଇଁ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ।