ବାଂଲାଦେଶ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ

୮୦୦୦ ଭାରତୀୟ ଏଯାଏଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେଣି।

ସ୍ୱଦେଶ ଫେରିବେ ୧୨ ହଜାରରୁ ଉର୍ଦ୍ଧ୍ଵ ଭାରତୀୟ

ନୂଆଦିଲ୍ଲୀ, ୬/୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗତ କାଲି ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ବାଂଲାଦେଶ ସ୍ଥିତି ସମ୍ପର୍କରେ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଭୟ ଗୃହର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଇଣ୍ଡିଆ ଆଲାଏନ୍ସର ସହଯୋଗୀ ଦଳ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ଆପ୍ ଯୋଗ ଦେଇନଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବାଂଲାଦେଶ ହିଂସାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶରେ ସରକାରୀ ଚାକିରି ପାଇଁ ସଂରକ୍ଷଣକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ଏଯାଏଁ ୩୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଭାରତ ସରକାର। ଏହି ଘଟଣା ପରେ ୮୦୦୦ ଭାରତୀୟ ନାଗରିକ ଦେଶକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ଏହା ବ୍ୟତୀତ ଆହୁରି ୧୨,୦୦୦ ରୁ ୧୩,୦୦୦ ଭାରତୀୟଙ୍କୁ ସ୍ଥାନାନ୍ତର କରିବାର ଅଛି। ଯାହାକି ସେତେଟା ଉଦବେଗଜନକ ପରିସ୍ଥିତି ନୁହେଁ। ଏହି ବୈଠକରେ ଶେଖ୍ ହସିନାଙ୍କ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଜୟଶଙ୍କର କହିଛନ୍ତି, ହସିନା ପରବର୍ତ୍ତୀ ସମୟରେ କେଉଁ ଯୋଜନା ରଖିଛନ୍ତି ସେ ନେଇ ସରକାରଙ୍କ ପକ୍ଷରୁ ତାଙ୍କୁ ସମୟ ଦିଆଯାଇଛି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବାଂଲାଦେଶ ସ୍ଥିତି ନେଇ ଏକ ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରିବା ଉଚିତ୍। ନିର୍ବାଚନ ନ ହେବା ପର୍ଯ୍ୟନ୍ତ ବାଂଲାଦେଶରେ ଏକ ଅନ୍ତରୀଣ ସରକାର ଶାସନ କରିବାକୁ ଯାଉଛି। ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସଙ୍କୁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା କରିବାକୁ ଛାତ୍ର ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଏ ନେଇ ଏସ ଜୟଶଙ୍କର କହିଛନ୍ତି, କିଛି ସ୍ଥାନରେ ଭାରତ ବିରୋଧୀ ନାରା ଦେଖିବାକୁ ମିଳୁଛି। କିନ୍ତୁ ଯିଏ ବି ସରକାର ଗଢିବେ ଭାରତ ମୁକାବିଲା କରିବାକୁ ପ୍ରସ୍ତୁତ।