ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ଅପରାହ୍ନ ୪ ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ବିହାର ରାଜନୈତିକ ସମୀକରଣ ବଦଳାଇ ଦେଇଛନ୍ତି ନୀତିଶ । ପୁଣି ନୂଆ ସରକାର ଗଢ଼ିବା ସହ ନୂଆ ମେଣ୍ଟ କରିବେ ବୋଲି ସୂଚନା ମିଳିଛି ।

ଇସ୍ତଫା ପରେ ନୀତିଶ କୁମାର କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲି । ଆମେ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ସହ ମେଣ୍ଟ ଭାଙ୍ଗିଲୁ । ସମସ୍ତ ଜେଡିୟୁ ବିଧାୟକ, ସାଂସଦ ଏନଡିଏ ଛାଡିବାକୁ ଚାହୁଁଥିଲେ । ତେଣୁ ଆମେ ଏହି ନିଷ୍ପତ୍ତି ନେଲୁ’।

କିଛି ସମୟ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଥିବା ବେଳେ ବିଜେପି ଠାରୁ ଅଲଗା ହୋଇଥିଲେ ନୀତିଶ କୁମାର । ଏନେଇ ନୀତିଶ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଏହାସହ ସେ କଂଗ୍ରେସ-ଆରଜେଡି ଓ ବାମଦଳ ସହ ମିଶି ସରକାର ଗଠନ କରିବେ ବୋଲି ସୂଚନା ମିଳିଛି ।