ପୁରୀ: ବଜ୍ରାଘାତରେ ଜଣେ ମୃତ, ୮ ଗୁରୁତର

ଧାନ ରୋଇବା ବେଳେ ଘଟିଲା ଅଘଟଣ

ପୁରୀ, ୧୨/୮: ବିଲରେ ଧାନ ରୋଇବା ସମୟରେ ବଜ୍ରାଘାତ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପ ବ୍ଳକରେ। ଗୋପର ବାଲିଘାଇ ନିକଟ ବିଲରେ ଧାନ ରୋଉଥିଲେ ମହିଳା। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା। ତେବେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ସୀତା ଭୋଇ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୮ ଜଣଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ଜଣକ ସ୍ୱାସ୍ଥ୍ୟ ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।