ଯନ୍ତ୍ରୀଙ୍କଠାରୁ ମିଳିଲାଣି ଆଖି ଖୋସିଲା ଭଳି ସୁନା; ପାଖରେ ରଖିଛନ୍ତି ବିଦେଶୀ ମୁଦ୍ରା

ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ।

ମର୍ସିଡିଜ କାର, ଦାମୀ ଘଣ୍ଟା ସହ ବିଳାସପୂର୍ଣ୍ଣ ଜୀବନଶୈଳୀ

ଭୁବନେଶ୍ବର, ୧୨/୮: ଓଡ଼ିଶା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସମ୍ପତ୍ତି ଦେଖି ଆଖି ଜଳକା ହୋଇ ଯାଉଛି। ଖାଲି ସୁନା ଉପରେ ସୁନା। ଯେତେ ଖୋଳୁଛନ୍ତି ସେତେ ବାହାରୁଛି। ପୁଳା ପୁଳା ଟଙ୍କା ସହିତ ସୁନା ଓ ହୀରା ଗହଣା, ରୂପା ବାସନ ଦେଖିଲେ ଆଖି ଲାଖି ଯାଉଛି। ସେହିପରି ଦୁଇଟି ବିଳାସପୂର୍ଣ୍ଣ କାର ମଧ୍ୟରେ ରହିଛି ଲକ୍ଷାଧିକ ଟଙ୍କାର ମର୍ସିଡିଜ।

ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୧୦ଟି ଫ୍ଲାଟ୍, ୭ଟି ପ୍ଲଟ୍, ପ୍ରାୟ ଦେଢ଼ କେଜିର ସୁନା ଓ ହୀରା ଗହଣା, ସୁନାର ଠାକୁର ମୂର୍ତ୍ତି ଓ ରୂପାର ବାସନ, ୨.୭ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ନଗଦ ୬ ଲକ୍ଷରୁ ଅଧିକ ଟଙ୍କା, ଦୁଇଟି ବିଳାସ ପୂର୍ଣ୍ଣ ମର୍ସିଡିଜ୍ କାର୍, ରୋଲେକ୍ସ ବ୍ରାଣ୍ଡ ଭଳି ଦାମୀ ହାତ ଘଡ଼ି ଆଦି ଠାବ କରାଯାଇଛି। ଠାବ କରାଯାଇଥିବା ଘଡ଼ିର ଦାମ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ। ଏହା ବ୍ୟତୀତ ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଏବଂ ସିଙ୍ଗାପୁରର ବିଦେଶୀ ମୁଦ୍ରା ମଧ୍ୟ ରଖିଥିଲେ ମୁଖ୍ୟଯନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରିଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

ତାରା ପ୍ରସାଦଙ୍କ ସହ ଜଡିତ ଭୁବନେଶ୍ବର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ବରର ନୟାପଲ୍ଲୀ ଓ ଖଣ୍ଡଗିରିରେ ମୋଟ ୪ଟି ସ୍ଥାନରେ, ଝାରସୁଗୁଡ଼ାର ୩ଟି ଫ୍ଲାଟ ଏବଂ କଟକ ଆଠଗଡସ୍ଥିତ ପୈତୃକ ବାସଭବନ, ତିଗିରିଆସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।