କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବନି ‘ୟୁନେସ୍କୋ କଳିଙ୍ଗ ପୁରସ୍କାର’ ପାଇଁ ଆର୍ଥିକ ଅନୁଦାନ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର, ୧୨/୮: ସମ୍ମାନଜନକ ୟୁନେସ୍କୋ କଳିଙ୍ଗ ପୁରସ୍କାର ଜାରି ରଖିବାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମ୍ମାନଜନକ ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସହଯୋଗ କରୁନଥିବାରୁ ଅତ୍ୟନ୍ତ ଦୁଃଖପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ। ଚିଠି ଲେଖି ବ୍ୟକ୍ତିଗତ ଭାବେ ଏହି ପୁରସ୍କାରକୁ ଜାରି ରଖିବାକୁ ଅନୁରୋଧ କରିଛନ୍ତି ନବୀନ।

ସୂଚନାନୁସାରେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ୧୯୫୨ ମସିହାରେ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା। ଏହାର ୫୦ ବର୍ଷ ପରେ ଅର୍ଥାତ ୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଏହି ପୁରସ୍କାର ବାବଦରେ ଖର୍ଚ୍ଚ ବ୍ୟବସ୍ଥା ହୋଇଥିଲା। ସେବେଠାରୁ ୟୁନେସ୍କୋ କଳିଙ୍ଗ ପୁରସ୍କାର ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥରାଶି ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଉପରେ ୬ ପ୍ରତିଶତ ଭାଗିଦାରୀ ରହୁଥିବା ବେଳେ ଓଡ଼ିଶା ସରକାର ଓ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଉପରେ ୪ ପ୍ରତିଶତ ଲେଖାଏଁ ଭାଗିଦାରୀ ରହିଛି। ଏହା ଦ୍ଵାରା ଦେଶର ପ୍ରତିଷ୍ଠିତ ବୈଜ୍ଞାନିକଙ୍କୁ ପ୍ରୋତ୍ସାହନ କରିବାରେ ସହାୟକ ହୋଇଥାଏ। ତେବେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଏଭଳି ସମ୍ମାନଜନକ ପୁରସ୍କାର ପାଇଁ ଆର୍ଥିକ ଅନୁଦାନ ବନ୍ଦ କରିବା ଜଣାପଡ଼ିବା ପରେ ଦୁଃଖପ୍ରକାଶ କରିଛନ୍ତି ନବୀନ।

ବିଜ୍ଞାନ କ୍ଷେତ୍ରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ଅନ୍ୟତମ ସମ୍ମାନଜନକ ପୁରସ୍କାର। ଅନ୍ତର୍ଜାତୀୟ ସ୍ତରରେ ବିଜ୍ଞାନ କ୍ଷେତ୍ରରେ ଦିଆଯାଉଥିବା ଏହା ଭାରତର ଏକମାତ୍ର ପୁରସ୍କାର। ବର୍ତ୍ତମାନ ସୁଦ୍ଧା ୭୨ ଜଣ ପ୍ରତିଷ୍ଠିତ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ସାରିଥିବା ବେଳେ ଏମାନଙ୍କ ମଧ୍ୟରେ ୭ ଜଣ ନୋବେଲ ପୁରସ୍କାର ବିଜେତା ରହିଛନ୍ତି।