ବିଜେଡି ସଭାପତିଙ୍କୁ ଭେଟିଲେ ବିଭିନ୍ନ ଜିଲ୍ଲାର ପ୍ରତିନିଧି

ପୁରୀ, ଭଦ୍ରକ ଓ ନବରଙ୍ଗପୁରର ପଂଚାୟତ ଓ ବ୍ଲକ ପ୍ରତିନିଧି ଏବଂ ବିଂଝାରପୁରର ସଂଖ୍ୟଲଘୁ ସମ୍ପ୍ରଦାୟର ପ୍ରତିନିଧି ନବୀନଙ୍କ ସହ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଲୋକଙ୍କ ସାଥିରେ ରହିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର, ୧୨/୮: ଆଜି ନବୀନ ନିବାସରେ ପୁରୀ, ଓ ନବରଙ୍ଗପୁର ଜିଲ୍ଲାର ବ୍ଲକ ଓ ପଂଚାୟତ ପ୍ରତିନିଧି ଏବଂ ଭଦ୍ରକର ପୌର ପରିଷଦର ସଭ୍ୟମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ସଭାପତିଙ୍କୁ ଜଣାଇଥିଲେ। ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି, କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂବର୍ତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା, ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂବର୍ତନ ବିଧାୟକ ଶ୍ରୀ ଉମା ସାମନ୍ତରାୟ, ଶ୍ରୀ ରୁଦ୍ର ମହାରଥୀ, ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ ଓ ନିମାପଡାର ବିଧାୟକ ପ୍ରାର୍ଥୀ ଶ୍ରୀ ଦିଲୀପ ନାୟକ ପ୍ରମୁଖ ସାମିଲ ଥିଲେ। ଭଦ୍ରକର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ସ୍ୱାଇଁ ଏବଂ ବିଭିନ୍ନ ବ୍ଲକ ଅଧକ୍ଷ ଉପାଧ୍ୟାକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟମାନେ ସଭାପତିଙ୍କୁ ଭେଟି ଆଲୋଚନା କରିଥିଲେ। ସେହିପରି ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ବିଂଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ମାନେ ମଧ୍ୟ ଶ୍ରୀ ପଟନାୟକଙ୍କୁ ଭେଟି ୱାକଫ ବୋର୍ଡ ସଂଶୋଧନ ବିଲ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂଖ୍ୟଲଘୁ ସମ୍ପ୍ରଦାୟର ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।