ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ସତ୍ୟବାଦୀ ଦିବସ’ ପାଳନ

ମୁଖ୍ୟ ଅତିଥି ରୂପେ ଯୋଗ ଦେଲେ ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ

ଭୁବନେଶ୍ୱର/ସାକ୍ଷୀଗୋପାଳ, ୧୩/୮: ଉତ୍କଳମଣି ଗୋପବନ୍ଧୁ ସତ୍ୟବାଦୀଠାରେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖ ଦିନ ବନବିଦ୍ୟାଳୟ ପ୍ରତିଷ୍ଠା ଅବସରରେ,ଏହି ଦିନକୁ ସ୍ମରଣ କରି ଗତ ୧୨ ତାରିଖ ଦିନକୁ ‘ସତ୍ୟବାଦୀ ଦିବସ’ ରୂପେ ପ୍ରଥମ କରି ଓଡ଼ିଆ ବିଶ୍ୱବିଦ୍ୟାଳୟ ତରଫରୁ ପାଳନ କରାଯାଇଥିଲା । ଉତ୍ସବରେ ଅଧ୍ୟକ୍ଷତା କରି ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଗୋପବନ୍ଧୁ ଦାସଙ୍କ ନିଷ୍ଠା, ତ୍ୟାଗ ଓ ଉତ୍ସର୍ଗୀକୃତ ପ୍ରାଣର ଉଲ୍ଲେଖ କରି ସମାଜ ପ୍ରତି ରହିଥିବା ତାଙ୍କର ସାମାଜିକ ପ୍ରତିବଦ୍ଧତା ସଂପର୍କରେ ଉଲ୍ଲେଖ କରିଥିଲେ। ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତଥା ବିଶିଷ୍ଟ ଐତିହାସିକ ପ୍ରଫେସର ନିହାର ରଂଜନ ପଟ୍ଟନାୟକ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠାର ଇତିହାସ ସଂପର୍କରେ ସୂଚନା ଦେଇ ଛାତ୍ରମାନଙ୍କର ସାମଗ୍ରିକ ବିକାଶ ପାଇଁ ପଣ୍ଡିତ ଗୋପବନ୍ଧୁଙ୍କ ଆପ୍ରାଣ ଉଦ୍ୟମ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ବକ୍ତା ରୂପେ କିସ ବିଶ୍ଵବିଦ୍ୟାଳୟର ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାରର ପ୍ରଫେସର ବିଜୟାନନ୍ଦ ସିଂହ ଯୋଗଦେଇ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ପଦ୍ଧତିଗତ ଆଦର୍ଶ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବର ଆଲୋଚନା ଚକ୍ରରେ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ, ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଡକ୍ଟର ରାଧାଗୋବିନ୍ଦ କୁଇଲା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ. ସଙ୍ଗୀତା ଜେନା ସଭାକାର୍ଯ୍ୟ ସଂଚାଳନ କରିଥିଲେ।