ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଉଡାଣ ଛାତ୍ର ବୃତ୍ତି ପ୍ରଦାନ

ଜଗତସିଂହପୁରରେ ୧୫୯ ଜଣ ଛାତ୍ରଛାତ୍ରୀଙ୍କୁ ୫୧.୧୩ ଲକ୍ଷର ଆର୍ଥିକ ସହାୟତା

ପାରାଦ୍ୱୀପ, ୧୩/୮: ଜଗତସିଂପୁର ଜିଲ୍ଲା ଏରସମା ଅନ୍ତର୍ଗତ ନୂଆଗାଁଠାରେ ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଉଡାଣ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜେଏସଡବ୍ଲୁ ଫାଉଣ୍ଡେସନର ସ୍ଥାନୀୟ ଇ-ଲର୍ଣ୍ଣିଙ୍ଗ କେନ୍ଦ୍ରରେ ଆୟୋଜିତ ଏକ ଉତ୍ସବରେ ୧୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜେଏସଡବ୍ଲୁ ଫାଉଣ୍ଡେସନର ଅଧିକାରୀ ଓ ଗୁରୁକୁଳ ଫାଉଣ୍ଡେସନର ମୁଖ୍ୟ ସୁରଜ କୁମାର ମିଶ୍ର ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ରାଜକିଶୋର ବେହେରା ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଜେଏସଡବ୍ଲୁ ଉଡାଣ ଛାତ୍ର ବୃତ୍ତି ହେଉଛି ଜେଏସଡବ୍ଲୁ ଫାଉଣ୍ଡେସନର ସବୁଠୁ ଅଧିକ ଲୋକପ୍ରିୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଯେଉଁ ମେଧାବୀ ଛାତ୍ରଛାତ୍ରୀ ମାନେ ଆର୍ଥିକ ସମସ୍ୟା ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି, ସେହି ମାନଙ୍କ ପାଇଁ ଏହି ଉଡାଣ ଛାତ୍ରବୃତ୍ତି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି। ଜଗତସିଂହପୁର ଜିଲ୍ଲାରେ ୨୦୨୧-୨୨ ରୁ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜରିଆରେ ୨୯୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୮୯. ୩୫ ଲକ୍ଷ ଟଙ୍କାର ବୃତ୍ତି ପ୍ରଦାନ କରାଯାଇଛି।

ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡା, କେଉଁଝର, ଓ ଜଗତସିଂହପୁର ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ୭୩୩ ଜଣ ଛାତ୍ରଛାତ୍ରୀଙ୍କୁ ୧ କୋଟି ୯୩ ଲକ୍ଷ ଟଙ୍କାର ବୃତ୍ତି ପ୍ରଦାନ କରା ଯାଇଛି। ସମୁଦାୟ ବିଗତ ତିନି ବର୍ଷ ମଧ୍ୟରେ ଏହି ଉଡାଣ ଛାତ୍ର ବୃତ୍ତି ମାଧମରେ ୧୨୨୬ ଜଣ ଛାତ୍ରଛାତ୍ରୀଙ୍କୁ ୩ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାରେ ୧୫୯ ଜଣ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ପାରାଦ୍ୱୀପ ସହରାଞ୍ଚଳରୁ ଯୋଗ୍ୟ ବିବେଚିତ ୪୯ ଜଣ ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୧୪ ତାରିଖରେ ସ୍ଥାନୀୟ ପାରାଦୀପ ଟରମିନାଲ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଗୁରୁକୁଳ ଫାଉଣ୍ଡେସନ ସହାୟତରେ ସ୍ଥାନୀୟ ନୂଆଗାଁଠାରେ ଇ-ଲର୍ଣ୍ଣିଙ୍ଗ ଓ ବ୍ୟକ୍ତିତ୍ୱ ବିକାଶ ସେଣ୍ଟର ଅଧୀନରେ ଚଳିତ ବର୍ଷ ୧୨୦ ଜଣ ଛାତ୍ରଛାତ୍ରୀ ତାଲିମ ନେଉଥିବା ବେଳେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୨୫୦ ଜଣଙ୍କୁ ତାଲିମ ଦେବାର ଲକ୍ଷ୍ୟ ରହିଛି। ଏହି ଅବସରରେ ଇ-ଲର୍ଣ୍ଣିଙ୍ଗ ସେଣ୍ଟରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।