ଏସ୍‌ସି/ଏସ୍‌ଟି ବର୍ଗର ନ୍ୟାର୍ଯ୍ୟ ଦାବି ପାଇଁ ବିଜେଡ଼ି ଲଢେଇ କରିଆସୁଛି

ଏସ୍‌ସି/ଏସ୍‌ଟି ରିଜରଭେସନରୁ କ୍ରିମି ଲେୟାର ବର୍ଗକୁ ବାଦ ଓ ରିଜରଭେସନ ଭିତରେ ସବ୍ କାଟେଗୋରି ବାବଦରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ବିଜେଡି ଅନୁଧ୍ୟାନ କରୁଛି।

କେନ୍ଦ୍ରର ବିଜେପି ସରକାରଙ୍କ ନୀରବତା ଏସ୍‌ସି/ଏସଟି ବର୍ଗଙ୍କୁ ବ୍ୟଥିତ କରିଛି: ବିଜେଡି

ଭୁବନେଶ୍ୱର, ୨୧/୮: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମିଡ଼ିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ କହିଥିଲେ, ସାରା ଦେଶରେ ଏସ୍‌ସି ଓ ଏସ୍‌ଟି ବର୍ଗର ଭାଇ ଭଉଣୀମାନେ ଜୋରଦାର ଆନ୍ଦୋଳନ କରୁଛନ୍ତି । ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଏକ ଅର୍ଡ଼ରରେ ରିଜରଭେସନ ଭିତରେ ସବ୍ କାଟେଗୋରି ଗଠନ କରିବା ଓ କ୍ରିମି ଲେୟାର ବର୍ଗଙ୍କୁ ରିଜରଭେସନରୁ ବାଦ ଦେବା ପାଇଁ ନିର୍ଦେଶ ଦେଇଛନ୍ତି, ଯାହା ଦେଶର ଏସ୍‌ସି ଓ ଏସ୍‌ଟି ବର୍ଗର ଭାଇ ଭଉଣୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଥିରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ନୀରବତା ଏସସି/ଏସଟି ବର୍ଗକୁ ବ୍ୟଥିତ କରିଛି ।

ବିଜୁ ଜନତା ଦଳ ସବୁ ସମୟରେ ଏସ୍‌ସି/ଏସଟି ବର୍ଗର ମଙ୍ଗଳ ସହ ତାଙ୍କର ସମସ୍ତ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଦୃଢ଼ ପ୍ରତିବଦ୍ଧତା ଓ ଲଢେଇ ଜାରି ରଖିଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଆଦିବାସୀ ଓ ଦଳିତ ଭାଇ ଭଉଣୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅନେକ କାର୍ଯ୍ୟ ହୋଇଛି । ରାଜ୍ୟର ତିନୋଟି ମେଡିକାଲ କଲେଜ ଆଦିବାସୀ ସମ୍ପ୍ରଦାୟର ବରପୁତ୍ରମାନଙ୍କ ନାମରେ ନାମିତ ହୋଇଥିବା ବେଳେ ରାଉରକେଲାରେ ନିର୍ମିତ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମକୁ ଭଗବାନ ବିର୍ଶା ମୁଣ୍ଡାଙ୍କ ନାମରେ ନାମିତ କରାଯାଇଛି । ଆଦିବାସୀ ଓ ଦଳିତ ବର୍ଗର ଲୋକଙ୍କ ବିକାଶ ପାଇଁ ବିଜୁ ଜନତା ଦଳ ସର୍ବଦା ତତ୍ପର ରହିଛି ଓ ଅଦାଲତର ରାୟକୁ ଅନୁଧ୍ୟାନ କରି ଅତିଶୀଘ୍ର ବିଜୁ ଜନତା ଦଳ ଦଳିତ ଓ ଆଦିବାସୀ ସମାଜର ହିତରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଡଃ ମାଝୀ କହିଛନ୍ତି ।