ଲକ୍ଷ୍ନୌ, ୦୨/୧୧: ଉତ୍ତରପ୍ରଦେଶରେ ଭୟଙ୍କର ଦୁର୍ଘଟଣା। କୁଶୀନଗର ଜିଲ୍ଲାରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ହାଟା କୋତୱାଲି ଥାନା ଅନ୍ତର୍ଗତ ଥାରୁଆଡିହ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।
ସୂଚନା ଅନୁସାରେ, କୁଶୀନଗର ଜିଲ୍ଲାର କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଭଲୁହି ଗାଁର କିଛି ଲୋକ ଏକ କାର୍ରେ ନିଜ ସମ୍ପର୍କୀୟଙ୍କ ଘରକୁ ତିଳକ ସମାରୋହରେ ଯୋଗଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତେ ରାତିରେ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଥାରୁଆଡିହ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ କାର୍ର ଜୋରଦାର ଧକ୍କା ହୋଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ଭାଙ୍ଗିରୁଜି ଯାଇଥିଲା। ଭିତରେ ଥିବା ଲୋକମାନେ ଗାଡ଼ି ମଧ୍ୟରେ ଫସି ରହିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ପୁଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କାର୍ ଭିତରୁ ମୃତକ ଓ ଆହତଙ୍କୁ ବାହାର କରାଯାଇଥିଲା।
ଏହି ଦୁର୍ଘଟଣାରେ କାର୍ରେ ଥିବା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ବର୍ଷୀୟ ଆର୍ଯ୍ୟନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଗୋରଖପୁର ମେଡିକାଲ କଲେଜକୁ ପଠାଯାଇଥିବା ଖବର ମିଳିଛି।
ମୃତକଙ୍କ ମଧ୍ୟରେ କହ୍ନେୟା ପ୍ରସାଦ (୪୦), ତାଙ୍କ ପିତା ରାମବେଲାସ (୬୫), ରାମମିଳନ (୩୫), ଆୟୁଷ (୧୨), ମୃଦୁଲ ମିଶ୍ର (୩୭) ଏବଂ ରଞ୍ଜୟ ଗୁପ୍ତା (୩୫) ଓ ମିଥିଲେଶ ଗୁପ୍ତା (୨୨) ରହିଛନ୍ତି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।
ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଖବର ମିଳିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।