ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ: ଆତ୍ମସମର୍ପଣ କଲେ ବିଦ୍ୟା ଭାରତୀ

ବଢ଼ିଲା ଗିରଫଦାରୀ ସମ୍ଭାବନା

ଭୁବନେଶ୍ୱର, ୦୨/୧୧: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ପରେ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ।

ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଏସିଏଫ ସୌମ୍ୟରଞ୍ଜନ ତାଙ୍କ ସରକାରୀ ବାସଭବନରେ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସୌମ୍ୟଙ୍କ ବାପା ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ବିଦ୍ୟାଭାରତୀଙ୍କ ସମେତ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା।

ପୂର୍ବରୁ ସଂଗ୍ରାମ ବେହେରା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜେଲ୍ ଯାଇଛନ୍ତି। ଗତ ସେପ୍ଟେମ୍ବରରେ ଗିରଫ ହୋଇଥିଲେ ରୋଷେୟା ମନ୍ମଥ କୁମ୍ଭ। ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କ ଆବେଦନ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ। ଆଜି ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଯାହା ପରେ ତାଙ୍କର ଗିରଫଦାରୀ ସମ୍ଭାବନା ବଢ଼ିଯାଇଛି।