ସେପ୍ଟେମ୍ବର ୧୭ରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି

ଏହା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଓଡ଼ିଶା ଆସି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର, ୩୧/୮: ସେପ୍ଟେମ୍ବର ୧୭ରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି। ରକ୍ଷାବନ୍ଧନ ଓ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନା ଦୁଇଟି କିସ୍ତି ମିଳିବାକୁ ଥିବା ବେଳେ ଚଳିତବର୍ଷର ରକ୍ଷାବନ୍ଧନ ଚାଲି ଯାଇଥିବାରୁ ସେପ୍ଟେମ୍ବର ୧୭ରେ ପ୍ରଥମ କିସ୍ତି ମିଳିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିପରି ସହଜରେ ଯୋଗ୍ୟ ମହିଳା ଯୋଜନାର ଲାଭ ଉଠାଇ ପାରିବେ ସେ ନେଇ ଧ୍ୟାନ ଦିଆଯିବ।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ଆବେଦନ ଫର୍ମ ବଣ୍ଟନ କରାଯାଇଛି। ଆଜିଠାରୁ ହିତାଧିକାରୀଙ୍କ ପାଇଁ ଫର୍ମ ଉପଲବ୍ଧ ହେବ ଏବଂ ଆସନ୍ତାକାଲି ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।

ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ଫର୍ମ ମିଳିବ। ଆବେଦନକାରୀ ଫର୍ମ ପୂରଣ କରି ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ। ହିତାଧିକାରୀଙ୍କ ନାମରେ ଆଧାର କାର୍ଡ ସହ ନମ୍ବର ଲିଙ୍କ ଏବଂ ଆଧାର କାର୍ଡ ସହ ସିଙ୍ଗଲ ହୋଲ୍ଡର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ହୋଇଥିବା ଆବଶ୍ୟକ।