ଦଶପଲ୍ଲା: “ସୁଭଦ୍ରା” ଯୋଜନା ପାଇଁ ପ୍ରଶିକ୍ଷଣ ଓ ଫର୍ମ ବଣ୍ଟନ

ଶତାଧିକ ଅଙ୍ଗନୱାଡି କର୍ମୀ ସାମିଲ

ଦଶପଲ୍ଲା – ୦୨/୦୯: “ସୁଭଦ୍ରା” ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଲାଣି ଅଫଲାଇନ ରେଜିଷ୍ଟ୍ରେସନ୍। ଆବେଦନ ପାଇଁ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ଫର୍ମ ମିଳିଲାଣି। ତେବେ ଜନସାଧାରଣଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ, ସେ ନେଇ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ଉତ୍ତମ ରୂପେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅଙ୍ଗନୱାଡି କର୍ମୀଙ୍କୁ ଅବଗତ କରାଯାଉଛି।

ଗତ କାଲି ଦଶପଲ୍ଲା ଅନ୍ତର୍ଗତ ସ୍ଥାନୀୟ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ (ଆଇସିଡିଏସ) ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଅଙ୍ଗନୱାଡି କର୍ମୀମାନଙ୍କୁ ଯୋଜନାର ଲକ୍ଷ୍ଯ, କାର୍ଯ୍ୟକାରିତା ଓ ସଫଳତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବିଭାଗୀୟ ସୁପର ଭାଇଜର ସମେତ ପୋଷଣ, ମମତା ଆଦି ଯୋଜନାର ଦାୟିତ୍ବରେ ଥିବା ଅଧିକାରୀମାନେ ଯୋଜନା ସମ୍ଵନ୍ଧରେ ଅଙ୍ଗନୱାଡି କର୍ମୀମାନଙ୍କୁ ବିସ୍ତୃତ ଭାବେ ବୁଝାଇ ଥିଲେ। ଏଥି ସହିତ ଆବେଦନ ଫର୍ମ ବିତରଣ କରି ଏହାର ପୂରଣ ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ।

ସୁଚନାଯୋଗ୍ୟ ଯେ, ଉକ୍ତ ଫର୍ମ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଉପଲବ୍ଧ ହେଉଛି। ଆବେଦନକାରୀମାନେ ଫର୍ମ ପୂରଣ କରି ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ।