ସୁଭଦ୍ରା ଯୋଜନା ପାଇଁ ନାହିଁ ଶେଷ ତାରିଖ

ସୁଭଦ୍ରା କଲ ସେଣ୍ଟର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୪/୦୯: ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଫର୍ମ ଦାଖଲ। ସୁଭଦ୍ରା ଯୋଜନାରେ ହିତାଧିକାରୀ ହେବା ପାଇଁ ମହିଳାଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ହେଲେ, ସୁଭଦ୍ରାରେ ସାମିଲ ହେବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ବେଳେ ଆଧାରକାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଯେଉଁଥିପାଇଁ ଆଧାରକାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ କରିବା ପାଇଁ ଆଧାର କେନ୍ଦ୍ର ତଥା ଜନ ସେବା କେନ୍ଦ୍ରରେ ଦେଖାଦେଉଛି ପ୍ରବଳ ଭିଡ। କେତେକ ସ୍ଥାନରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି। ଏସବୁ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଓକାକ ସେଣ୍ଟରଠାରେ ସୁଭଦ୍ରା କଲ ସେଣ୍ଟର ଉଦଘାଟନ କରି କହିଛନ୍ତି, ଏହି ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟା ପାଇଁ କୌଣସି ସମୟ ସୀମା ନାହିଁ। ଆଧାର ଅପଡେଟ୍ ପାଇଁ ଜନ ସେବା କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ ହୋଇନାହିଁ। ତେଣୁ ତରବରିଆ ହେବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଏହି ଯୋଜନାର ଲାଭ ପହଞ୍ଚିବା ପର୍ଯ୍ୟନ୍ତ ଫର୍ମ ଗ୍ରହଣ କରାଯିବ। ସେପ୍ଟେମ୍ବର ୧୭ ତାରିଖ ପରେ ବି ଫର୍ମ ଗ୍ରହଣ କରାଯିବ ଏବଂ ଲୋକଙ୍କୁ ଟଙ୍କା ବଣ୍ଟନ କରାଯିବ।

ସୁଭଦ୍ରା ଯୋଜନା ବାବଦରେ ସୂଚନା ପାଇବା ପାଇଁ ଦୈନିକ କଲ ସେଣ୍ଟରକୁ ୨୦ରୁ ୨୨ ହଜାରରୁ ଅଧିକ କଲ୍ ଆସୁଛି। ଏପର୍ଯ୍ୟନ୍ତ ପ୍ରାୟ ୧.୫୦ ଲକ୍ଷ କଲ୍ ଆସି ସାରିଛି। ଏହି କଲ ସେଣ୍ଟରରେ ୧୮୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ସେଣ୍ଟର ୩ଟି ସିଫ୍ଟରେ କାର୍ଯ୍ୟ କରୁଛି। ସେପ୍ଟେମ୍ବର ୧୭ ସୁଦ୍ଧା କଲ୍ ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।