ବିଜେଡି ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକ

ଏ ଦେଶ ଏ ମାଟି ଆମର, ଏ ଭାବନା ନେଇ ଭାରତର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ସଂଖ୍ୟାଲଘୁମାନଙ୍କୁ ନବୀନ ପଟ୍ଟନାୟକଙ୍କ ଆହ୍ୱାନ।

ସମାଜରେ ସଦଭାବ ବଜାୟ ରଖିବା ପାଇଁ ସମସ୍ତେ କାମ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର, ୦୫/୦୯: ଆଜି ଶଙ୍ଖ ଭବନଠାରେ ବିଜେଡି ସଂଖ୍ୟାଲଘୁ ସେଲର ସାଙ୍ଗଠନିକ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ, ଏ ଦେଶ ଆମର ଏ ମାଟି ଆମର। ଏହି ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶାର ଗୌରବ ବୃଦ୍ଧି ପାଇଁ କାମ କରିବା। ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି। ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରର ପ୍ରଗତି ହାସଲ କରିପାରିଛି। ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟର ବିଭିନ୍ନ ଅଞ୍ଚଳର ସଂଖ୍ୟାଲଘୁ ଭାଇ ଭଉଣୀମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି।
ବିଜେଡି ୱାକଫ ବିଲକୁ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ। ଓଡିଶାର ସାଂସ୍କୃତିକ ବିବିଧତା ଆମର ଗୌରବ। ଦେଶର ପ୍ରଗତିରେ ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ। ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତିର ମୂଳଧାର ବୋଲି ବର୍ଣ୍ଣନା କରି ସମାଜର ଦୁର୍ବଳ ବର୍ଗ ର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୌଦ୍ଧ ଶିଖ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନେ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାଂସଦ ମୁନା ଖାଁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।