ହାଇଟେକ୍ ବିଜ୍ଞାନ ମହାବିଦ୍ୟାଳୟରେ ଗୁରୁଦିବସ ଉତ୍ସବ ପାଳିତ

‘ସାଧାରଣ ମଣିଷକୁ ଦିବ୍ୟ ଆତ୍ମାରେ ପରିବର୍ତ୍ତନ କରାନ୍ତି ଗୁରୁ’

ଭୁବନେଶ୍ବର, ୦୫/୦୯: ସାଧାରଣ ମଣିଷକୁ ଦିବ୍ୟ ଆତ୍ମାରେ ପରିବର୍ତ୍ତନ କରିବା ଏବଂ ଛୋଟିଆ ପଥରଟିକୁ ଦେବତାଙ୍କ ଆଭିମୁଖ୍ୟରେ ପରିଦର୍ଶନ କରାନ୍ତି କେବଳ ଗୁରୁ। କେବଳ ଯେ ଅନ୍ଧାରୁ ଆଲୋକକୁ ଆଣନ୍ତି ନାହିଁ, ସାଧାରଣ ଆଲୋକରୁ ଉଜ୍ଜଳ ଆଲୋକମୟ ଜୀବନ ପଥକୁ ପରିଦର୍ଶନ କରାନ୍ତି ଗୁରୁ। ପିତା ମାତା ପ୍ରଥମ ଗୁରୁ ହୋଇଥିବା ବେଳେ ଶିକ୍ଷାଦାତା ଦ୍ୱିତୀୟ ଗୁରୁ ଏବଂ ଗୁରୁଙ୍କର ଜ୍ଞାନ ସଦା ସର୍ବଦା ଆମ ସାଧାରଣ ମଣିଷଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ହୋଇଟେକ୍ ବିଜ୍ଞାନ ମହାବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ସଭା କକ୍ଷରେ ଗୁରୁ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ସାହୁ ଜଣାଇଛନ୍ତି। ଏହି ଅବସରରେ ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ କହିଛନ୍ତି ଯେ ସମସ୍ତ ବିଦ୍ୟାର୍ଥୀମାନେ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ଗୁରୁଙ୍କ କଥା ମାନି ଚଳିଲେ ଆଗାମୀ ଦିନରେ ଏକ ଗରିମାମୟ ଜୀବନ ଅତିବାହିତ କରିପାରିବା। ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିଚାଳିତ ଏହି ଗୁରୁ ଦିବସ ଉତ୍ସବରେ ଉପାଧ୍ୟକ୍ଷ ବିଭୂତି ଭୂଷଣ ବେହେରା, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶକ୍ତିମୟୀ ପାଢୀ, ଡ. ମୁରଲୀଧର ସ୍ୱାଇଁ, ଡ. ଶରତ କୁମାର ନାୟକ ଏବଂ ସମସ୍ତ କନିଷ୍ଠ ଓ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ଗୁରୁ ଦିବସର ମାହାତ୍ମ୍ୟ ଓ ତାତ୍ପର୍ଯ୍ୟକୁ ଛାତ୍ରମାନଙ୍କୁ ବଖାଣିଥିଲେ। ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ତଥା ଅନ୍ତଃରାଷ୍ଟ୍ରୀୟ ନୃତ୍ୟଶିଳ୍ପୀ ଡ. ଚିତ୍ତରଞ୍ଜନ ସାହାଣୀ ବିଦ୍ୟାର୍ଥୀମାନଙ୍କୁ ଉପଯୁକ୍ତ ବିଦ୍ୟା ଅଧ୍ୟୟନ ସହିତ ଗୁରୁମାନଙ୍କ ସମ୍ପର୍କରେ ରହି ଜୀବନକୁ ଆହୁରି ଶୋଭାମୟ କରିବାକୁ ଆହ୍ୱାନ ଦେଇଥିଲେ। ଜୀବବିଜ୍ଞାନ ଅଧ୍ୟାପକ ବିଶ୍ୱଜିତ୍ ବେହେରାଙ୍କର ମର୍ମସ୍ପର୍ଶୀ ସଙ୍ଗୀତରେ ବିଦ୍ୟାର୍ଥୀମାନେ ଆତ୍ମବିଭୋର ହୋଇଉଠିଥିଲେ।