୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଅନୁମାନ

୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଓ ୧୨ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ଭୁବନେଶ୍ୱର, ୦୯/୦୯: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ସୃଷ୍ଟି ଲଘୁଚାପ ଉପକୂଳ ଓଡିଶା ଦେଇ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ଗତି କରୁଛି। ସୋମବାର ମଧ୍ୟାହ୍ନ ୨ଟା ସୁଦ୍ଧା ଗଭୀର ଅବପାତ ପୁରୀ ଉପକୂଳ ଅତିକ୍ରମ କରି କ୍ରମଶଃ ଛତିଶଗଡ଼ ମୁହାଁ ହେବ। ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ।

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଜି ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୪୮ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଉକ୍ତ ଜିଲ୍ଲାଗୁଡିକୁ ପ୍ରସ୍ତୁତି ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତୁତି ପାଇଁ ସଜାଗ କରାଯାଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ ଲୋକଙ୍କ ସ୍ଥାନାନ୍ତରଣ, ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖିବା, ଅଗ୍ନିଶମ ସେବା ବିଭାଗ ଏବଂ ଓଡ୍ରାଫ ମୁତୟନ କରାଯିବା ପାଇଁ ଏସ୍ଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଲଗାଣ ବର୍ଷା ପରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଯୋଗୁଁ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଅଞ୍ଚଳରେ ବନ୍ୟା ଜଳ ୫ରୁ ୬ ଫୁଟ ଉପରେ ପ୍ରବାହିତ ହେଉଥିବାରୁ ଲୋକେ ଘରୁ ବାହାରିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାର କାଲିମେଳା ଓ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏମଭି-୯୦ ଓ ଏମଭି-୯୬ରେ କଲଭର୍ଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସହ ଏହି ଅଞ୍ଚଳର ୩୨୬ ନମ୍ବର ଜାତୀୟ ରାଜପଥ ବନ୍ୟା ପାଣିରେ ବୁଡ଼ି ଯାଇଛି।

ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ଓ ବୋରି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟାରୁ ନଦୀ କୂଳରେ ଥିବା ଗ୍ରାମର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଆରମ୍ଭ ହୋଇଛି। ବୈପାରିଗୁଡା ବ୍ଲକରେ ପ୍ରାୟ ୨୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ଜୟପୁର ବ୍ଲକରେ ୧୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।