ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

କ୍ଷତିଗ୍ରସ୍ତ ଲୋକଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର, ୧୦/୦୯: ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଯେକୌଣସି ପରିସ୍ଥିତି ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ୬ଟି ଓଡ୍ରାଫ ଟିମ୍ ଓ ୫ଟି ଅଗ୍ନିଶମ ସେବା ଟିମ୍ ମୁତୟନ ହୋଇଛନ୍ତି। ବନ୍ୟା ପାଣି ଯୋଗୁଁ ରାସ୍ତା ଘାଟ ପ୍ରଭାବିତ ହୋଇଥିବା ବେଳେ ବର୍ଷା ସତ୍ତ୍ୱେ କାହାର ମୃତ୍ୟୁ ହୋଇନାହିଁ। ପ୍ରାୟ ୮୦ଟି ଉଦ୍ଧାରକାରୀ ଡଙ୍ଗା ମୁତୟନ କରାଯାଇଥିଲା।

ମାଲକାନଗିରି ଓ କୋରାପୁଟ ଜିଲ୍ଲାର ପ୍ରାୟ ୨୦ଟି ଗ୍ରାମ ଜଳମଗ୍ନ ରହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରାଧାନ୍ୟ ଦିଆଯାଇଛି। ୧୭୮୦ ଜଣ କ୍ଷତିଗ୍ରସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କ ପାଇଁ, ଭୋଜନ, ରହଣି ଓ ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ସହଯୋଗ କରିବା ପାଇଁ ରାଜସ୍ୱ ବିଭାଗ, ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅଗ୍ନିଶମ ବିଭାଗ ମିଳିତ ଭାବେ କାମ କରିଥିଲେ।

ଆବଶ୍ୟକ ପଡ଼ିଥିଲେ, ବିଏସ୍ଏଫ୍ ଯବାନ ଓ ହେଲିକପ୍ଟରକୁ ମଧ୍ୟ ନିୟୋଜିତ କରାଯାଇଥାଆନ୍ତା। ଅନୁସୂଚିତ ଜାତି ଜନଜାତି ବିଭାଗର ପ୍ରମୁଖ ଶାସନ ସଚିବ, ଦକ୍ଷିଣ ଡିଭିଜନ ଡିଆଇଜି ଏବଂ ହୋମଗାର୍ଡ ଓ ଅଗ୍ନିଶମ ଡିଜି ପ୍ରମୁଖ ମାଲକାନଗିରିରେ ଅବସ୍ଥାପିତ ଅଛନ୍ତି। ରାଜ୍ୟ ସରକାର ଜିଲ୍ଲା ଓ ବ୍ଲକ ପ୍ରଶାସନ ସହ ସ୍ଥିତି ସମନ୍ବୟ ରକ୍ଷା କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ସ୍ଥିତି ଉପରେ ନଜର ରଖିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଭୂସ୍ଖଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି। ବନ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।