ସାଂଘାତିକ ହେଉଛି ମଣିପୁର ହିଂସା: ସଦ୍ୟତମ ଆକ୍ରମଣରେ ଗଲାଣି ୮ ଜୀବନ

ତିନି ଜିଲ୍ଲାରେ କର୍ଫ୍ୟୁ ଲଗାଇଲା ପ୍ରଶାସନ

ନୂଆଦିଲ୍ଲୀ, ୧୦/୦୯: ଗତ କିଛି ଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ଆରମ୍ଭ ହୋଇଛି ହିଂସାକାଣ୍ଡ। ମଣିପୁରରେ ସଂଘର୍ଷ ପୁଣି ଉଗ୍ର ରୂପ ଧାରଣ କରିଥିବା ବେଳେ ନିକଟରେ କୁକି ଉଗ୍ରବାଦୀଙ୍କ ଦ୍ୱାରା ଘଟିଥିବା ଡ୍ରୋନ୍ ଆକ୍ରମଣ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ଏହାରି ମଧ୍ୟରେ ମଙ୍ଗଳବାର ମଣିପୁରର ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟରେ ହିଂସା ବୃଦ୍ଧି ପାଉଥିବାରୁ ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ଥୋବାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ମଙ୍ଗଳବାର ସକାଳ ୫ଟାରୁ ଦିନ ୧୦ଟା ଯାଏ କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଯାହାପରେ ପୁଣି ଦିନ ୧୧ଟାରୁ କର୍ଫ୍ୟୁକୁ ବଢାଇ ଦିଆଯାଇଛି।

ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟର ବିଷ୍ଣୁପୁର ଜିଲ୍ଲାର ମୋଇରାଙ୍ଗରେ ଆରପିଜି ଆକ୍ରମଣ ହୋଇଥିଲା, ଯେଉଁଥିରେ ମଣିପୁରର ପ୍ରଥମ ମୁଖ୍ୟମନ୍ତ୍ରୀ ମାଇରେମ୍ବାମ୍ କୋଇରେଙ୍ଗ ସିଂହଙ୍କ ବାସଭବନରେ ପୂଜା କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତ ସେପ୍ଟେମ୍ବର ୭ ତାରିଖରେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ କୁକି ଉଗ୍ରବାଦୀଙ୍କ ଦ୍ୱାରା ଡ୍ରୋନ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସେହିପରି ଏକୁଟିଆ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଉଗ୍ରବାଦୀମାନେ ପଶି ଶୋଇଥିବା ଅବସ୍ଥାରେ ଗୁଳି କରି ହତ୍ୟା କରିବା ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଇଥିଲା।

ସଦ୍ୟତମ ହିଂସାକାଣ୍ଡରେ ଡ୍ରେନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ଏବେ ଯାଏଁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହାର ପ୍ରତିବାଦରେ ନିକଟରେ ହଜାର ହଜାର ଛାତ୍ରଛାତ୍ରୀ ଡ୍ରେନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ମଣିପୁର ସଚିବାଳୟ ଓ ରାଜଭବନ ସମ୍ମୁଖରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅନ୍ୟପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାଟ୍ରୋଲିଂ ମାଧ୍ୟମରେ ଓ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। କମ୍ବିଂ ଅପରେସନ୍ ମଧ୍ୟ ଜାରି ରହିଛି। ଯେକୌଣସି ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆସାମ ରାଇଫଲ୍ସ ପକ୍ଷରୁ ଇମ୍ଫାଲ ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ଡ୍ରୋନ୍ ନିରୋଧୀ ବ୍ୟବସ୍ଥା ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମେ ମାସରୁ ଇମ୍ଫାଲ ଉପତ୍ୟକାସ୍ଥିତ ମୈତିସ୍ ଏବଂ କୁକି-ଜୋ ଗୋଷ୍ଠୀ ମଧ୍ୟରେ ଜାତିଗତ ହିଂସା ଲାଗି ରହିଛି। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି।