ସୁନା କିଣୁଥିଲେ ହୋଇଯାଆନ୍ତୁ ସତର୍କ; ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ଏ ସଂକ୍ରାନ୍ତରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏଯାବତ୍ ଧରା ପଡିଲେଣି ୧୧୬ ବ୍ଯବସାୟୀ

ଭୁବନେଶ୍ୱର, ୧୧/୦୯: ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ। ଗତ ୫ ମାସ ଭିତରେ ୩୧୨୫ଟି ସ୍ଥାନରେ ଚଢ଼ାଉ କରିଥିଲା ଯୋଗାଣ ବିଭାଗ। ଚଢାଉ ଦ୍ୱାରା ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ଜଣା ପଡିଥିଲା ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବହୁ ସମୟରେ ସୁନା ବ୍ୟବସାୟୀମାନେ ଠକୁଥିବା ଅଭିଯୋଗରେ ବିଭାଗ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ, ଗତ ୫ ମାସ ଭିତରେ ରାଜ୍ୟର ୩୧୨୫ଟି ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉରେ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ଜଣାପଡିବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଏହି ଠକ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍ ଆଦାୟ ହୋଇଥିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ଗ୍ରାହକ ମାନେ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି। ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଠକେଇ କରିଥିବା ବେଳେ ଖୋର୍ଦ୍ଧାରେ ୧୬ ଜଣ ସୁନା ଦୋକାନୀ ଠକେଇ କରିଛନ୍ତି। ଏହାବ୍ୟତୀତ, ଗତ ୧ ବର୍ଷ ମଧ୍ୟରେ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ଜଣାପଡ଼ିଛି। ସେମାନଙ୍କଠାରୁ ୧୫ ଲକ୍ଷ ୩୦ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି। ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ୧୪୧୫, ବୌଦ୍ଧରେ ୩୧୮, ବରଗଡ଼ରେ ୨୪୫, ବାଲେଶ୍ଵରରେ ୧୯୯, ଅନୁଗୁଳରେ ୧୩୩, ଭଦ୍ରକରେ ୧୨୬, ବଲାଙ୍ଗୀରରେ ୭୮ଟି ଅଭିଯୋଗ ସାମନାକୁ ଆସିଛି। ସର୍ବମୋଟ ୮୪୬୯ଟି ଅଭିଯୋଗର ନିରୀକ୍ଷଣ କରାଯାଇଥିବା ବେଳେ ୪୯୫ ଜଣଙ୍କୁ ସ୍କାନରକୁ ଅଣାଯାଇଛି। ସେହିପରି କଟକରେ ୨୦୨୩-୨୪ ଅଗଷ୍ଟ ମାସ ସୁଦ୍ଧା ୮୬୭ଟି ଜୁଏଲାରୀ ଦୋକାନକୁ ଯାଞ୍ଚ କରାଯାଇଥିବା ବେଳେ ୬୫ଟି ଦୋକାନରେ ଅନିୟମିତତା ହୋଇଥିବାର ଜଣା ପଡିଥିଲା। ଏମାନଙ୍କଠାରୁ ୧ ଲକ୍ଷ ୬୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା। ବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇ ଆଗକୁ ଆହୁରି ଅନେକ ଦୋକାନ ଉପରେ ବ୍ୟାପକ ଚଢାଉ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।