ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ବର, ୧୩/୦୯: ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ। ଅବକାରୀ ନୀତିରେ ବଡ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବ ନାହିଁ। ଯେକୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ମିଳିବନି। ଏହା ସହ ରାଜ୍ୟର ଅନ୍ୟ ଧାର୍ମିକ ଅନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀର ମାହାତ୍ମ୍ୟ ଓ ଶ୍ରୀ ଜଗନ୍ନାଥଙ୍କ ଅବସ୍ଥିତି ଦୃଷ୍ଟିରୁ ପୁରୀ ବେଳାଭୂମି ଓ ପୌରାଞ୍ଚଳ ସହ ଆଖପାଖ ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ। ଯେକୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନକୁ ନିଷେଧ କରାଯିବ। ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଧାରରେ ନିୟମରେ ପରିବର୍ତ୍ତନ କରାଯାଇଛି।