ନର୍ଲା ନବୋଦୟ ନିକଟରେ ହାତୀର ମୃତଦେହ ଉଦ୍ଧାର

ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ

ନର୍ଲା, ୧୩/୦୯: ନର୍ଲା ନବୋଦୟ ବିଦ୍ୟାଳୟ ପାର୍ଶ୍ୱସ୍ଥ ଛିଟକେଲ ଜଙ୍ଗଲରେ ଶୁକ୍ରବାର ଏକ ହାତୀର ମୃତଦେହ ଠାବ ହୋଇଛି। ଗୁରୁବାର ଏକ ଚାରି ଟିକିଆ ହାତୀପଲ ନର୍ଲା ନବୋଦୟ ପାର୍ଶ୍ୱସ୍ତ ଛିଟକେଲ ଜଙ୍ଗଲରୁ ଆସି ତଳେ ଥିବା ଚାଷ ଜମିରେ ଫସଲ ଖାଇ ନଷ୍ଟ କରିଥିବା ସ୍ଥାନୀୟ ଚାଷୀ ପ୍ରକାଶ କରିଛନ୍ତି। ତେବେ ଶୁକ୍ରବାର ସକାଳୁ ଏକ ମାଈ ହାତୀ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର କରିଥିଲେ। ବନ ବିଭାଗର ନର୍ଲା ଫରେଷ୍ଟର ଭବାନୀ ନାଏକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରେଞ୍ଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଖବର କରିଥିଲେ। ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚଳାଇ ଥିବାବେଳେ ଏହାର ପ୍ରକୃତ କାରଣ ଜଣା ପଡିନାହିଁ। ଉକ୍ତ ଚାରି ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା, ଗୋଟିଏ ପିଲା ହାତୀ ଓ ଦୁଇଗୋଟି ମାଈ ହାତୀ ଥିଲେ। ସେଥି ମଧ୍ୟରୁ କୌଣସି କାରଣରୁ ଗୋଟିଏ ମାଈ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ବିଦ୍ୟୁତ ତାର ହାତୀ ମରିଥିବା ସ୍ଥାନରୁ ବହୁତ ଦୂରରେ ରହିଛି। ଏଣୁ ହାତୀ ମୃତ୍ୟୁର କାରଣ ଏଯାଏଁ ଜଣା ପଡିନାହିଁ ବୋଲି ବନ ବିଭାଗ ଅଧିକାରୀ ମତବ୍ୟକ୍ତ କରିଛନ୍ତି।