ବିନାଶ ପଥେ ବିଶ୍ୱ

ଆତଙ୍କବାଦର ମୂଳୋତ୍ପାଟନ ଲକ୍ଷ୍ୟରେ ଯୁଦ୍ଧ ନେଉଛି ଜୀବନ

ନୂଆଦିଲ୍ଲୀ, ୩୦/୦୯: ସାରା ବିଶ୍ୱରେ ଲାଗି ରହିଛି ଯୁଦ୍ଧ। ମଧ୍ୟ ପ୍ରାଚ୍ୟ ଦେଶ ଗୁଡିକ ସମେତ ଏସିଆ, ଦକ୍ଷିଣ ଆମେରିକା ଆଫ୍ରିକୀୟ ଦେଶମାନଙ୍କରେ ମଧ୍ୟ ଲାଗି ରହିଛି ଯୁଦ୍ଧ। ଯୁଦ୍ଧ ଯୋଗୁଁ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ବହୁ ଲୋକ ବାସହୀନ ହୋଇ ପଡିଛନ୍ତି। ଚାରିଆଡ଼େ ଦେଖାଦେଉଛି ହାହାକାର। ଆତଙ୍କବାଦର ବୃଦ୍ଧି ଯୋଗୁଁ ଶୋଷିତ ହେଉଛନ୍ତି ସାଧାରଣ ଲୋକେ।

ଗତ କିଛି ମାସ ଧରି ଇସ୍ରାଏଲ ଆତଙ୍କବାଦ ମୂଳୋତ୍ପାଟନ କରିବା ଦିଗରେ ବହୁ ପନ୍ଥା ଆପଣାଇଛି। ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସକୁ ମୂଳପୋଛ କରିବା ଲକ୍ଷ୍ୟରେ ଗାଜା ସିଟି ଉପରେ ବାରମ୍ଵାର ଆକ୍ରମଣ କରିଥିଲା ଇସ୍ରାଏଲ। ଏ ଯୁଦ୍ଧ ଥମିନଥିବା ବେଳେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ବିରୋଧରେ ଲେବାନନରେ କ୍ରମାଗତ ଭାବେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି ଇସ୍ରାଏଲ।

ଇସ୍ରାଏଲର ଏହି ଆକ୍ରମଣରୁ ଜଣା ପଡୁଛି, ଯେମିତି ଆତଙ୍କବାଦର ବିନାଶ କରିବା ପାଇଁ ନେତାନ୍ୟାହୁ ସଂକଳ୍ପବଦ୍ଧ ହୋଇଛନ୍ତି। ଲେବାନନରେ ବୋମାମାଡ଼ରେ ମୃତାହତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଆମେରିକା ମଧ୍ୟ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରୁଛି। ତେବେ ଭାରତ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ବେଳେ ଭାରତ ସର୍ବଦା ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରି ଆସିଛି। କୂଟନୀତି ଦ୍ୱାରା ଯୁଦ୍ଧର ଅବସାନ ଘଟାଇବାକୁ ଯୋଜନା କରୁଛି ଭାରତ। ଯଦି ଇସ୍ରାଏଲ-ଲେବାନନ, ପାଲେଷ୍ଟାଇନ ଓ ଋଷିଆ-ୟୁକ୍ରେନ ମଧ୍ୟରେ ଏହିପରି ଭାବେ ଯୁଦ୍ଧ ଲାଗି ରୁହେ, ତେବେ ଖୁବଶୀଘ୍ର ସାରା ବିଶ୍ଵ ପୁଣି ଏକ ବିଶ୍ୱଯୁଦ୍ଧର ସାମନା କରିବ। ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଆଉ ସମୟ ଲାଗିବ ନାହିଁ।

ଏତଦ୍ ବ୍ୟତୀତ ଅନ୍ୟ କେତେକ ଦେଶ ମାନଙ୍କରେ ମଧ୍ୟ ସଂଘର୍ଷ ଯୋଗୁଁ ବିଶ୍ୱ ବିନାଶକାରୀ ପରିସ୍ଥିତି ସାମନା କରିବାକୁ ଯାଉଛି। ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଆଫଗାନିସ୍ତାନ, ଇଥିଓପିଆ, ଇରାକ, ୟେମେନ, ସିରିଆ, ସୋମାଲିଆ, ଲିବିଆ, ସେଣ୍ଟ୍ରାଲ ଆଫ୍ରିକା ରିପବ୍ଲିକ୍, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ମିଆଁମାର, କଲମ୍ବିଆ ଏବଂ ମାଲି ଏବେ ଗୃହ ଯୁଦ୍ଧରେ ଅଛନ୍ତି। ମେକ୍ସିକୋରେ ଡ୍ରଗ୍ସ କାର୍ଟେଲ ସହ ଯୁଦ୍ଧ ଚାଲିଛି। ଆଫ୍ରିକୀୟ ଦେଶମାନଙ୍କରେ ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ଜନକ ରହିଛି।

୨୦୨୩ରେ ରେକର୍ଡ ତଥ୍ୟ ଅନୁଯାୟୀ, ଋଷ ସହିତ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ସର୍ବାଧିକ ମୃତ୍ୟୁ ହୋଇଛି। ୟୁକ୍ରେନରେ ୨୯,୩୪୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ପାଲେଷ୍ଟାଇନରେ ୧୮,୨୭୫ ଲୋକଙ୍କ ମୃତ୍ୟୁ ଘଟିଛି। ମ୍ୟାଁମାରରେ ଗୃହ ଯୁଦ୍ଧ ଯୋଗୁଁ ୧୪, ୮୪୧ ଲୋକଙ୍କ ପ୍ରାଣହାନୀ ଘଟିଛି। ସୁଦାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ୧୨,୭୭୩ ଲୋକଙ୍କ ମୃତ୍ୟୁବରଣ ହୋଇଛି। ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୮,୦୧୭ ଜଣ ଲୋକଙ୍କ ଜୀବନ ଯାଇଛି। ସୋମାଲିଆରେ ଗୃହ ଯୁଦ୍ଧ ଲାଗି ରହିଥିବାରୁ ୭,୮୭୪ ଲୋକଙ୍କ ମୃତ୍ୟୁ ଘଟିଛି। ବୁର୍କିନା ଫାସୋରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ଯୋଗୁଁ ୭୬୨୨ ଲୋକଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋରେ ଡ୍ରଗ୍ ୱାର ଯୋଗୁଁ ୬,୭୯୩ ଲୋକଙ୍କ ମୃତ୍ୟୁ ଘଟିଛି।

ସିରିଆରେ ଗୃହ ଯୁଦ୍ଧ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୮୦୨କୁ ଛୁଇଁଥିଲା। ମାଲିରେ ଗୃହ ଯୁଦ୍ଧ ଓ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ୩,୯୬୫ ଲୋକଙ୍କ ମୃତ୍ୟୁ ହୋଇଛି। ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୩୮୩୪ ଲୋକଙ୍କ ଜୀବନ ଯାଇଛି। ଇଥିଓପିଆରେ ଗୃହ ଯୁଦ୍ଧ ଯୋଗୁଁ ୩୫୧୪ ଲୋକଙ୍କ ଜୀବନ ଯାଇଛି। ୟେମେନରେ ଗୃହ ଯୁଦ୍ଧ ଯୋଗୁଁ ୩୦୦୮ ଲୋକଙ୍କ ଜୀବନ ଯାଇଛି। ଆଫଗାନିସ୍ଥାନ ସହ ସୀସା ବିବାଦ ଲାଗି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧରେ ପାକିସ୍ତାନରେ ୨,୧୬୯ ଲୋକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ- ପାଲେଷ୍ଟାଇନ ମଧ୍ୟରେ ହେଉଥିବା ଯୁଦ୍ଧ ଯୋଗୁଁ ଇସ୍ରାଏଲରେ ୧୪୨୫ ଲୋକଙ୍କ ମୃତ୍ୟୁ ଘଟିଛି।

ସେହିପରି ହାଇତି, କଲମ୍ବିଆ, ଇରାକ, ଦକ୍ଷିଣ ସୁଦାନ, ଭାରତ, ଆଫଗାନିସ୍ତାନ, କାମେରୁନ, ନାଇଜର, ଫିଲିପାଇନ୍ସ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ଉଗାଣ୍ଡା, ମୋଜାମ୍ବିକ, ଚାଡ, ବେନିନ, ଋଷିଆ, ଘାନା, ଟୋଗୋ, ଲିବ୍ୟା, ଆଇଭରି କୋଷ୍ଟ, ତାଞ୍ଜାନିଆ, ଆଲଜେରିଆ, ମରିସାନିଆ, ଚାଇନା ଓ ଟ୍ୟୁନିସିଆ ଦେଶ ଗୁଡିକରେ ମଧ୍ୟ ସୀମା ବିବାଦ, ଆତଙ୍କବାଦୀ ଆକ୍ରମଣ, ଗୃହ ଯୁଦ୍ଧ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନହାନି ହୋଇଛି।

ସାରା ବିଶ୍ୱରେ ମହାଶକ୍ତିମାନଙ୍କର ଅନ୍ତର୍ଭୁକ୍ତୀ ଯୋଗୁଁ କୌଣସି ସମସ୍ୟାର ସମାଧାନ ହେବା ପରିଲକ୍ଷିତ ହେଉନାହିଁ। ବରଂ ବିଶ୍ୱରେ ମହାଶକ୍ତି ବୋଲାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ଏହି ଯୁଦ୍ଧ ବନ୍ଦ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଜାତିସଂଘ ମଧ୍ୟ ହାତ ଟେକି ଦେଉଛି। ଯଦି ସାରା ବିଶ୍ୱରେ ଏଭଳି ଯୁଦ୍ଧର ବିରତି ନ ହୁଏ, ତାହାଲେ ବିଶ୍ୱ ବିନାଶ ଭିତରକୁ ଟାଣି ହୋଇଯିବ।