୨୦୨୫ରେ ହେବ ପ୍ରଥମ ଖୋ ଖୋ ବିଶ୍ୱକପ୍

୨୪ଟି ଦେଶରୁ ୧୬ଟି ପୁରୁଷ ଦଳ ଏବଂ ମହିଳା ଦଳ ଅଂଶଗ୍ରହଣ କରିବେ।

ଭାରତ କରିବ ପ୍ରଥମ ଆୟୋଜନ: କେକେଏଫ୍ଆଇର ଘୋଷଣା

ନୂଆଦିଲ୍ଲୀ, ୦୨/୧୦: ଭାରତରେ ହେବ ପ୍ରଥମ ଖୋ ଖୋ ବିଶ୍ୱକପ୍। ୨୦୨୫ରେ ଭାରତରେ ପ୍ରଥମ ଖୋ ଖୋ ବିଶ୍ୱକପ୍ ଆୟୋଜନ କରିବାକୁ ଘୋଷଣା କରିଛି ଅନ୍ତର୍ଜାତୀୟ ଖୋ ଖୋ ମହାସଂଘ(ଆଇକେକେଏଫ) ଏବଂ ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ (କେକେଏଫ୍ଆଇ)। ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ମହାଦେଶର ୨୪ଟି ଦେଶରୁ ୧୬ଟି ପୁରୁଷ ଦଳ ଏବଂ ମହିଳା ଦଳ ଅଂଶଗ୍ରହଣ କରିବେ।

ଖୋ ଖୋ ବିଶ୍ୱକପ୍ ପୂର୍ବରୁ ଖୋ ଖୋକୁ ପ୍ରୋତ୍ସାହିତ କରିବା ପାଇଁ କେକେଏଫ୍ଆଇ ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୨୦୦ଟି ପ୍ରତିଷ୍ଠିତ ବିଦ୍ୟାଳୟ ପରିଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଅତି କମରେ ୫୦ ଲକ୍ଷ ପ୍ରତିଯୋଗୀଙ୍କୁ ନିଯୁକ୍ତି ଦେବା ପାଇଁ ମହାସଂଘ ପକ୍ଷରୁ ସ୍କୁଲ ପିଲାଙ୍କ ପାଇଁ ସଦସ୍ୟତା ଅଭିଯାନ ଆୟୋଜନ କରାଯିବ।

କେକେଏଫ୍ଆଇର ସଭାପତି ସୁଧାଂଶୁ ମିତ୍ତଲ କହିଛନ୍ତି ଯେ, ପ୍ରଥମ ଖୋ ଖୋ ବିଶ୍ୱକପ୍ ଆୟୋଜନ କରି ଆମେ ବହୁତ ଖୁସି। ୨୦୩୨ ସୁଦ୍ଧା ଆମେ ଖୋ ଖୋକୁ ଅଲିମ୍ପିକ୍ ଖେଳ ଭାବେ ମାନ୍ୟତା ଦେବାକୁ ଚାହୁଁଛୁ। ଅଲିମ୍ପିକ୍ସ ଲକ୍ଷ୍ୟକୁ ସାକାର କରିବା ଦିଗରେ ବିଶ୍ୱକପ୍ ହେଉଛି ପ୍ରଥମ ପଦକ୍ଷେପ। ସାରା ବିଶ୍ୱର ଶୀର୍ଷ ଆଥଲେଟମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ସପ୍ତାହବ୍ୟାପୀ ମ୍ୟାଚରେ ଅଂଶଗ୍ରହଣ କରିବେ।