ସେବା ସ୍ୱାଭିମାନ ଆମର ମନ୍ତ୍ର,ବିକାଶ ଆମ ପରିଚୟ

ବିଜେଡିର ପଦଯାତ୍ରା ଶୁଭାରମ୍ଭ କଲେ ସଭାପତି ନବୀନ ପଟ୍ଟନାୟକ।

ନାମ, ରଙ୍ଗ ପରିବର୍ତ୍ତନ କରିପାର କିନ୍ତୁ ଇତିହାସ ନୁହେଁ: ନବୀନ

ଭୁବନେଶ୍ୱର, ୦୨/୧୦: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ୫୭ ନମ୍ବର ୱାର୍ଡରେ ପଦଯାତ୍ରା ଆରମ୍ଭ କରି ସମବେତ ବିପୁଳ ଜନତାଙ୍କୁ ସମ୍ବୋଧନ କରି ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଲୋକଙ୍କ ସହିତ ଯୋଡ଼ି ହେବାରେ ପଦଯାତ୍ରା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ବିଜେଡିକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଲେ ଯେ, ସେବା ସ୍ୱାଭିମାନ ବିଜେଡିର ମନ୍ତ୍ର। ବିକାଶ ହେଉଛି ବିଜେଡିର ପରିଚୟ।

ବିଜେଡିର ଚବିଶ ବର୍ଷ ଶାସନରେ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିକାଶର ବିଭିନ୍ନ ମାନକରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ। ଆର୍ଥିକ ସ୍ଥିରତା ଆସିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି। ଗରିବୀ ୭୦ ପ୍ରତିଶତରୁ କମି ୧୦ ପ୍ରତିଶତରେ ପହଂଚିଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ସୁବିଧା ପାଉଥିଲେ। କିନ୍ତୁ ବିଜେପି ସରକାର ଯୋଜନାର ନାମ ପରିବର୍ତ୍ତନକୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇପାରିବେ ନାହିଁ।

ସେ କହିଲେ ଯେ ବିଜେପି ମିଛ କାହାଣୀ ମିଛ ପ୍ରତିଶ୍ରୁତି ଦେଇ ଶାସନକୁ ଆସିଛି। ବିଜେପିର ମିଛ ନିର୍ବାଚନ ପ୍ରତିଶ୍ରୁତି ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ତିନିଶହ ୟୁନିଟ ମାଗଣା ବିଜୁଳି, ମା ମାନଙ୍କୁ ପଚାଶହଜାର ଟଙ୍କା, ତିନିହଜାର ଟଙ୍କାକୁ ଭତ୍ତା ବୃଦ୍ଧି କୁଆଡେ ଗଲା। ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ। କିନ୍ତୁ ଫଳ ଶୂନ। ଏବେ ବିଜେପିର ମିଛ ଧରାପଡ଼ିଯାଇଛି। ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଦରଦାମ ଉପରେ ଲଗାମ ନାହିଁ। ମା ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି। ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହାନ୍ତି। ତେଣୁ ବିଜେପିର ମିଛ ପ୍ରତିଶ୍ରୁତି ଓ ସରକାରର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ପଟ୍ଟନାୟକ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଲେ ଲୋକଙ୍କ ଭଲ ପାଇବା ବିଜେଡିର ସବୁଠାରୁ ବଡ଼ ଶକ୍ତି। ୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଛି। କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସେ କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ, ଶେଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କର ଓ ଓଡିଶା ମାଟିର ସେବା କରିଚାଲିବେ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ଜେନା, ମେୟର ସୁଲୋଚନା ଦାଶ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ।