ରାଜ୍ୟ ରାଜନୀତିରେ ଉଷ୍ମତା: ବିଜେପି-ବିଜେଡି ମଧ୍ୟରେ ଖୋଲା ଚ୍ୟାଲେଞ୍ଜ

ବିଜେଡିକୁ ଭାଙ୍ଗିବାକୁ ପଡିବନି। ଆପେ ଆପେ ଦଳ ଭାଙ୍ଗିଯିବ ବୋଲି କହିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି।

ସାହସ ଥିଲେ ବିଜେଡି ଖାଲି କରି ଦେଖାଅ: ବଦ୍ରି

ଭୁବନେଶ୍ୱର, ୦୩/୧୦: ରାଜ୍ୟର ଆଞ୍ଚଳିକ ଦଳ ବିଜେଡିରୁ ଯାଇ ବହୁ ନେତା ପଦ୍ମ ଫୁଟାଇବେ ବୋଲି ଆଶାବାଦୀ ଅଛି ବିଜେପି। ରାଜ୍ୟ ରାଜନୀତିରେ ଜୋର ଧରିଛି ବୟାନବାଜି। ବିଜେପି ମତରେ ସେ ସମୁଦ୍ର ଆଉ ବିଜେଡ଼ି ଶାଖା। ବିଜେଡ଼ି ମତରେ ସେ ମଧ୍ୟ ବଡ।

ଗତ କାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ବିଜେପିରେ ମିଶିବା ପାଇଁ ବିଜେଡିର ବହୁ ନେତା ଆଗ୍ରହୀ ଅଛନ୍ତି। ଶଙ୍ଖ ଦଳରେ ଆଉ କେହି ରହିବେନି। ବହୁତ ଜଲଦି ବିଜେଡ଼ି ଖାଲି ହୋଇଯିବ। ବହୁ ନେତା ବିଜେପିରେ ସାମିଲ ହେବେ।

ମନମୋହନଙ୍କ ପରେ ସମାନ କଥା ଦୋହରାଇଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି। ସେ କହିଛନ୍ତି, ବିଜେପିରେ ସାମିଲ ହେବାକୁ ବହୁ ବଡ ବଡ ନେତା ଆଗ୍ରହୀ ଅଛନ୍ତି। ସେଥିମଧ୍ୟରେ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେପିରେ ମିଶି ସାରିଛନ୍ତି। ବିଜେଡିକୁ ଭାଙ୍ଗିବାକୁ ପଡିବନି। ଆପେ ଆପେ ଭାଙ୍ଗିଯିବ। ବିଜେଡି ଏବେ ଶେଷ ହେବାକୁ ଯାଉଛି। ଭାରତରେ ସର୍ବ ବୃହତ ରାଜନୈତିକ ଦଳ ବିଜେପି। ବିଜେପି ହିଁ ଏକମାତ୍ର ବିକଳ୍ପ। ବିଜେଡିର ବହୁ ନେତା ବିଜେପିରେ ମିଶିବେ। ସାରା ଭାରତରେ ବିଜେପି ହେଉଛି ସମୁଦ୍ର। ତେଣୁ ସମୁଦ୍ରରେ ନଈ ନାଳ ଝରଣା ଆସି ମିଶିବେ।

ବିଜେପି ନେତାଙ୍କୁ କାଉଣ୍ଟର ଆଟାକ କରି ବିଜେଡିର ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, କହିବା ଲୋକ ବହୁତ କଥା କହିବେ। କେହି କହିଲେ ଆଉ ପାଟି ବନ୍ଦ କରି ହେବ ନାହିଁ। ଭାରତର ଏକ ବଡ ଆଞ୍ଚଳିକ ଦଳ ହେଉଛି ବିଜେଡି। ଯଦି ସାହସ ଅଛି ତାହାଲେ ବିଜେଡିକୁ ଖାଲି କରି ଦେଖାଅ। ବିଜେପିର ଏହି ବୟାନ ସମ୍ପୂର୍ଣ୍ଣ ନିରର୍ଥକ ବୋଲି କହିଛନ୍ତି ଶ୍ରୀ ପାତ୍ର।

ସେହିପରି ବିଜେଡି ନେତା ମୁନା ଖାଁ ସିଧାସଳଖ ମନମୋହନ ସାମଲଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି କେଉଁ ନେତାଙ୍କୁ ନିଜ ଦଳକୁ ନେବାକୁ ଚାହୁଁଛନ୍ତି ତାହାଲେ ଖୁସିରେ ନେଇ ପାରନ୍ତି। ବିଜେଡି ମଜବୁତ ଅଛି, ଆଗକୁ ମଧ୍ୟ ରହିବ। ରାଜନୀତିରେ ହାର ଜିତ୍ ଲାଗି ରୁହେ, କିନ୍ତୁ ଆମେ ବିଚଳିତ ନୁହେଁ। ଯଦି କିଏ ଯିବାକୁ ଚାହୁଁଛନ୍ତି ତାହାଲେ ସାମନାରେ କୁହନ୍ତୁ। ଅନ୍ୟ ଦଳକୁ ଭାଙ୍ଗିବା ବିଜେପିର ଏକ ଅଭ୍ୟାସ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବିଜେଡିର ଦୁଇ ଜଣ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ସାଂସଦ ପଦ ଛାଡ଼ିବା ସହ ବିଜେଡିକୁ ମଧ୍ୟ ଗୁଡ ବାଏ କହିଥିଲେ। ବିଜେପିରେ ମିଶି ବିଜେଡି ଉପରେ ଥିବା ସବୁ ବିଷ ଓଗାଳିଥିଲେ। ଏହା ପରେ ପ୍ରତ୍ୟେକ ଦିନ ବିଜେଡିର ବହୁ ନେତାଙ୍କ ମଧ୍ଯରେ ଦଳୀୟ କନ୍ଦଳ ଦେଖିବାକୁ ମିଳୁଛି। ଗତ କାଲି ମଧ୍ୟ ବଡଚଣାରେ ବିଜେଡି ନେତା ଅମର ଶତପଥୀ ଓ ନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୃଥକ ଭାବେ ପଦଯାତ୍ରା କରିଥିବା ଦେଖିବାକୁ ମିଳିଥିଲା। ସେହିପରି ପାରାଦ୍ବୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଓ ସମ୍ବିତ ରାଉତରାୟ ପୃଥକ ଭାବେ ଅଲଗା ସମୟରେ ପଦଯାତ୍ରା କରିଥିଲେ। ଉଭୟ ଉଭୟଙ୍କ ସମର୍ଥକଙ୍କ ସହ ପଦଯାତ୍ରା କରିଥିଲେ। ବିଜେପିର ଏଭଳି ବୟାନକୁ ଖୋରାକ ଯୋଗାଉଛି ବିଜେଡିର ଏଭଳି ଆଚରଣ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବୁଝାଇ ଯେତେ ଏକ କରି ରଖିବାକୁ ଚାହିଁଲେ ବି ଦଳର ଆଭ୍ୟନ୍ତରୀଣ କଳି ପଦାରେ ପଡୁଛି।