ଭାରତ ଗସ୍ତରେ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ଆଜିଠୁ ୫ ଦିନିଆ ଭାରତ ଗସ୍ତରେ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ, ୦୬/୧୦: ଆଜିଠୁ ୫ ଦିନିଆ ଭାରତ ଗସ୍ତରେ ଆସିବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ମହମ୍ମଦ ମୁଇଜ୍ଜୁ ଅକ୍ଟୋବର ୬ ତାରିଖ ରବିବାର ନିଜର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତରେ ଆସୁଛନ୍ତି। ଅକ୍ଟୋବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ସେ ଦିଲ୍ଲୀ ଗସ୍ତରେ ଆସିବେ। ଦାୟିତ୍ୱ ଗ୍ରହଣ କରିବା ପରେ ମୁଇଜୁଙ୍କ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ, ଯେଉଁଥିରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ୨୦୨୪ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୁଇଜ୍ଜୁ ଭାରତ ଗସ୍ତରେ ଆସିଥିଲେ। ଏହା ପୂର୍ବରୁ ମୁଇଜ୍ଜୁ ଗତବର୍ଷ ଡିସେମ୍ବର ୧ରେ ଦୁବାଇରେ ଅନୁଷ୍ଠିତ କପ୍-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ।

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “ମାଳଦ୍ୱୀପର ବିକାଶ ଏବଂ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରାଷ୍ଟ୍ରମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା, ଦେଶ ପାଇଁ ଏକ ଗତିଶୀଳ ଏବଂ ସକ୍ରିୟ ବୈଦେଶିକ ନୀତି ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡକ୍ଟର ମୁଇଜ୍ଜୁ ପ୍ରତିଶ୍ରୁତିବଦ୍ଧ। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହେବ।

ମାଳଦ୍ୱୀପ ରାଷ୍ଟ୍ରପତି ଭାବରେ ମହମ୍ମଦ ମୁଇଜ୍ଜୁ ଶପଥ ନେବା ପରେ ଭାରତ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଭାରତକୁ ତାଙ୍କ ଦେଶରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଅନୁରୋଧ କରିବା ସହ ଭାରତ ବିରୋଧରେ ଅନ୍ତରାଷ୍ଟ୍ରୀୟ ସ୍ତରରେ କଡା ମନ୍ତବ୍ୟ ରଖିଥିଲେ। ଯାହା ପରେ ଭାରତରୁ ମାଳଦ୍ୱୀପକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ସହ ମାଳଦ୍ୱୀପର ଅର୍ଥନୀତି ଉପରେ ଏକ କୁପ୍ରଭାବ ପକାଇଥିଲା।