ରାଜଧାନୀରେ ନକଲି କଲ ସେଣ୍ଟର ଠାବ

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାସ୍ଥିତ କାଞ୍ଚନ ଆପାର୍ଟମେଣ୍ଟର ଏ-୨୦୫ ଫ୍ଲାଟରେ ଏହି ନକଲି କଲ୍ ସେଣ୍ଟର ଚାଲୁଥିଲା।

ସାଇବର ଠକେଇ ପାଇଁ ହେଉଥିଲା ଯୋଜନା

ଭୁବନେଶ୍ବର, ୧୬/୧୦: ରାଜଧାନୀରେ ଚାଲିଥିଲା ନକଲି କଲ ସେଣ୍ଟର। ଟ୍ୱିନ ସିଟି କମିସନରେଟ୍ ପୁଲିସ ବୁଧବାର ରାଜଧାନୀରେ ଏକ ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାସ କରିବା ସହ ପଶ୍ଚିମବଙ୍ଗର ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାସ୍ଥିତ କାଞ୍ଚନ ଆପାର୍ଟମେଣ୍ଟର ଏ-୨୦୫ ଫ୍ଲାଟରେ ଏହି ନକଲି କଲ୍ ସେଣ୍ଟର ଚାଲିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରପଦାର କୋକିଳା କାଞ୍ଚନ ଆପାର୍ଟମେଣ୍ଟରେ ଏ-୨୦୫ ଫ୍ଲାଟ ଭଡ଼ା ନେଇ ଗତ ୪ ମାସ ଧରି ନକଲି କଲ୍ ସେଣ୍ଟର ହୋଇଥିଲା। ଏ ନେଇ କମିଶନରେଟ ପୋଲିସ ଚଢାଉ କରିବା ପରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସାଇବର ଠକେଇ ପାଇଁ ଏହି ଆପାର୍ଟମେଣ୍ଟରେ ଯୋଜନା ପ୍ରସ୍ତୁତ କରାଯାଉଥିଲା। ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖା ଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପଚରାଉଚରା ବେଳେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ସେମାନଙ୍କୁ ଗିରଫ କରି ସାଇବର ଥାନାରେ ଅଟକ ରଖାଯାଇଛି।

ଏଥିରେ ଏସ୍ ପାଢୀ ଓ ସଞ୍ଜୟ ନାମକ ଦୁଇ ବ୍ୟକ୍ତିଙ୍କ ଉପରେ ସନ୍ଦେହ ଉପୁଜିବା ପରେ ପୋଲିସକୁ ଖବର ମିଳିଥିଲା। ଉଭୟ ଏହି ଆପାର୍ଟମେଣ୍ଟକୁ ଆସିବା ସମୟରେ ବାରମ୍ବାର ନାମ ପରିବର୍ତ୍ତନ କରୁଥିଲେ। ତେଣୁ ପୋଲିସ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଥିଲା। ସୁଯୋଗ ମିଳିବା ମାତ୍ରେ ଆଜି ଅଚାନକ ଚଢାଉ ହୋଇଥିଲା। ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଏହା ବ୍ୟତୀତ ଏ ବିଷୟରେ ଅଧିକ ଜାଣିବା ପାଇଁ ଆମର ବିଶେଷଜ୍ଞମାନେ ଏ ନେଇ ଅନୁସନ୍ଧାନ କରିବେ।