ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଓମାର ଅବଦୁଲ୍ଲା

ସୁରିନ୍ଦର ଚୌଧୁରୀ ହେବେ ଉପମୁଖ୍ୟମନ୍ତ୍ରୀ

ଜମ୍ମୁ-କଶ୍ମୀର, ୧୬/୧୦: ଜମ୍ମୁ-କଶ୍ମୀରର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଓମାର ଅବଦୁଲ୍ଲା। ଶ୍ରୀନଗରସ୍ଥିତ ଶେର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଉପରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁ-କଶ୍ମୀରର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କୁ ଶପଥ ପାଠ କରାଇଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀର ବିଧାନସଭାର ୫ ଜଣ ସଦସ୍ୟ ମଧ୍ୟ ଓମାର ଅବଦୁଲ୍ଲାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏମାନେ ହେଲେ ରାଜୌରୀ ଜିଲ୍ଲାର ନୌଶେରାର ବିଧାୟକ ସୁରିନ୍ଦର ଚୌଧୁରୀ, କଶ୍ମୀର ଉପତ୍ୟକାର କୁଲଗାମ ଜିଲ୍ଲାର ଡି.ଏଚ୍.ପୋରା ନିର୍ବାଚନ ମଣ୍ଡଳୀର ବିଧାୟକ ସକିନା ଇଟୁ, ଜମ୍ମୁ ଜିଲ୍ଲାର ଛମ୍ବ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଜିତିଥିବା ସତୀଶ ଶର୍ମା, ଜମ୍ମୁ ଡିଭିଜନର ପୁଞ୍ଚ ଜିଲ୍ଲାର ପୁଞ୍ଚ ନିର୍ବାଚନ ମଣ୍ଡଳୀର ବିଧାୟକ ଜାଭେଦ ରାଣା, ବାରାମୂଳା ଜିଲ୍ଲାର ରାଫିଆବାଦ ନିର୍ବାଚନ ମଣ୍ଡଳୀର ବିଧାୟକ ଜାଭେଦ ଅହମ୍ମଦ ଡାର ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁରିନ୍ଦର ଚୌଧୁରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେସି ବେଣୁଗୋପାଳ ଉପସ୍ଥିତ ଥିଲେ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ସଞ୍ଜୟ ସିଂହ, ଡିଏମକେ ସାଂସଦ କାନିମୋଝି, ସିପିଆଇ (ଏମ୍) ନେତା ପ୍ରକାଶ କରତ, ଲୋକସଭା ସଦସ୍ୟ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ସିପିଆଇ ନେତା ଡି.ରାଜା ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ।

ଏହା ବ୍ୟତୀତ ଶପଥ ଗ୍ରହଣ ଉତ୍ସବରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପିର ସଭାପତି ମେହବୁବା ମୁଫତି ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ମଧ୍ୟ ଯୋଗ ଦେଇଥିଲେ।