ସେବା ମନୋଭାବ ନେଇ ସାରା ଓଡିଶାରେ ପାଳିତ ହେଲା ନବୀନଙ୍କ ୭୮ତମ ଜନ୍ମଦିନ

ଶଙ୍ଖ ଭବନରେ ଆୟୋଜିତ ରକ୍ତଦାନ ଶିବିରରେ ୨୫୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ।

ସାରା ରାଜ୍ୟରେ ୩୫ଟି ସ୍ଥାନରେ ୩୦୦୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର, ୧୬/୧୦: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଅବସରରେ ଆଜି ଦଳ ତରଫରୁ ଶଙ୍ଖ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଆୟୋଜନ କରାଯାଇଥିଲା । ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରାଜ୍ୟର ୩୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ସେହିପରି, ନବୀନଙ୍କ ଜନ୍ମଦିନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଜନସାଧାରଣ ମଧ୍ୟ ଆଜି ନବୀନ ନିବାସ ଯାଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ, ଦଳର ନେତୃମଣ୍ଡଳୀ ଗଣମାଧ୍ୟମରେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ନବୀନଙ୍କ ଚବିଶ ବର୍ଷ ଶାସନ କାଳରେ ଓଡ଼ିଶାରେ ହୋଇଥିବା ସାମଗ୍ରୀକ ବିକାଶକୁ ସ୍ମରଣ କରିଥିଲେ । ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇପାରିଥିଲା । ୨୦୦୦ ମସିହାରେ ଓଡ଼ିଶାର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରାଜ୍ୟକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଆର୍ଥିକ ନିଅଣ୍ଟ ରାଜ୍ୟରୁ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଥିଲା । ଗତ ନିର୍ବାଚନରେ ବିଜୁ ଜନତା ଦଳ ପରାଜୟ ବରଣ କରିଥିଲେ ମଧ୍ୟ ଆଜିବି ନବୀନ ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସେ ହିଁ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଦଳର ନେତାମାନେ ମତ ଦେଇଥିଲେ ।

ଶଙ୍ଖ ଭବନ ଠାରେ ଆୟୋଜିତ ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତୃମଣ୍ଡଳୀ ଯଥା, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଂତୃପ୍ତ ମିଶ୍ର, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ସଞ୍ଜୟ ଦାସବର୍ମା, ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସଦସ୍ୟା ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଓ ଡଃ ପ୍ରିୟବ୍ରତ ମାଝୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ବିଜୟ ନାୟକ, ମୁଖପାତ୍ର ମିହିର ରାୟ, ତୁମ୍ୱନାଥ ପଣ୍ଡା ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।